Categories: ଜାତୀୟ

ଭୂପେଶ ନଂ.୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୧୦: ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଲିକାରେ ନିମ୍ନରେ ରହିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ଅସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ଆଇଏଏନ୍‌ଏସ୍‌-ସି ଭୋଟରରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦.୩ ପ୍ରତିଶତ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ଦେଇଛନ୍ତି।
ସୋମବାର ପ୍ରକାଶ ପାଇଥିବା ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେ ଅନୁଯାୟୀ ଭୂପେଶଙ୍କ ପ୍ରତି ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ମାତ୍ର ୬ ପ୍ରତିଶତ ଅସନ୍ତୁଷ୍ଟ ଥିବା ଓ ତାଙ୍କର ପରିବର୍ତ୍ତନ ଚାହୁଁଥିବା କହିଛନ୍ତି। ଛତିଶଗଡ଼ର ୪୪.୭ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବାବେଳେ ୩୬.୬ ପ୍ରତିଶତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। କୋଭିଡ୍‌ରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କୁ ଘରୋଇ ସ୍କୁଲରେ ମାଗଣାରେ ପଢ଼ିବା ଲାଗି ସୁଯୋଗ ଦେବାଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଭୂପେଶ ରାଜ୍ୟବାସୀଙ୍କ ଲୋକପ୍ରିୟତା ଅର୍ଜନ କରିଛନ୍ତି। ନୀତି ଆୟୋଗଙ୍କ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଅନୁଯାୟୀ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଲିଙ୍ଗଗତ ସମାନତାରେ ଛତିଶଗଡ଼ ଶୀର୍ଷ ସ୍ଥାନରେ ରହିଛି।
ଉତ୍ତରାଖଣ୍ଡ ସରକାରଙ୍କ ପ୍ରତି ଭୋଟରଙ୍କ ସର୍ବାଧିକ ଅସନ୍ତୋଷ ରହିଥିଲେ ମଧ୍ୟ ପୁଷ୍କର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ୧୦.୧ ପ୍ରତିଶତ ଭୋଟର ଅସନ୍ତୁଷ୍ଟ ଥିବା କହିଛନ୍ତି। ସର୍ଭେ ଅନୁଯାୟୀ ରାଜ୍ୟ ସରକାରଙ୍କ ପ୍ରତି ୬୧ ପ୍ରତିଶତ ମତଦାତା କ୍ଷୁବ୍ଧ ଥିବା ଜଣାପଡ଼ିଛି। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରତି ୧୦.୪ ପ୍ରତିଶତ ଅସନ୍ତୁଷ୍ଟ ଥିବାବେଳେ ରାଜ୍ୟ ସରକାରଙ୍କ ପ୍ରତି ୩୭.୬ ପ୍ରତିଶତ କ୍ଷୁବ୍ଧ ଥିବା ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ଉପରୋକ୍ତ ସଂସ୍ଥା ଗତ ଜାନୁୟାରୀରେ ପ୍ରକାଶ କରିଥିବା ଷ୍ଟେଟ୍‌ ଅଫ୍‌ ଦି ନେଶନ ୨୦୨୧ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଉକ୍ତ ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ରହିଥିଲେ।

 

Share