Categories: ଖେଳ

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଭାରତ ୩୮ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଦଳ ୧-୦ର ଅଗ୍ରଣୀ ହାସଲ କରିଛି।

ସୂର୍ଯ୍ୟକୁମାର ଯାଦବ(୫୦)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଧାଓ୍ବନ ୪୬ ଓ ସଞ୍ଜୁ ସାମସନ ୨୭ ରନ୍‌ କରିଥିଲେ। ଶ୍ରୀଲଙ୍କା ପାଇଁ ଦୁଶମନ୍ଥା ଚମିରା ଓ ଓ୍ବାନିନ୍ଦୁ ହାସାରଙ୍ଗା ହାତେଇଥିଲେ ୨ ଲେଖାଏ ଉଇକେଟ। ଭାରତ ପକ୍ଷରୁ ଧାର୍ଯ୍ୟ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ପାଇଁ ଅପହଞ୍ଚ ସାବ୍ୟସ୍ତ ହୋଇଥିଲା। ଭାରତୀୟ ବୋଲରଙ୍କ ପ୍ରଭାବି ବୋଲିଂ ଯୋଗୁ ଘରୋଇ ଦଳ ମାତ୍ର ୧୨୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ ଉପ ଅଧିନାୟକ ଭୁବନେଶ୍ୱର କୁମାର ନେଇଥିଲେ ସର୍ବାଧିକ ୪ ଉଇକେଟ। ତାଙ୍କ ବ୍ୟତୀତ ଦୀପକ ଚହର ୨ ଉଇକେଟ ନେଇଥିବାବେଳେ କ୍ରୁନାଲ ପାଣ୍ଡ୍ୟା, ପଦାର୍ପଣକାରୀ ବରୁଣ ଚକ୍ରବର୍ତ୍ତୀ, ୟୁଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ସଫଳତା ହାତେଇଥିଲେ।

Share