Categories: ଖେଳ

ବର୍ଷିଲେ ଗାଭାସ୍କର: ‘୧୯ତମ ଓଭର ପାଲଟିଲାଣି ଚିନ୍ତାର ବିଷୟ…ସବୁଥର ଦେଉଛନ୍ତି ଅଧିକ ରନ୍‌’

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଏହାକୁ ନେଇ ବିଭିନ୍ନ ମହଲରେ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏହି କ୍ରମରେ ଏବେ ମହାନ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ଖେଳାଳିଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସ୍ପୋଟ୍ସ ଟୁଡେ ସହ ବାର୍ତ୍ତାଳାପରେ ଗାଭାସ୍କର କହିଛନ୍ତି, ମୁଁ ଭାବୁନି ଯେ ଅଧିକ କାକର ପଡ଼ିଥିବ। ଆମେ କୌଣସି ଫିଲ୍ଡର ଏବଂ ବୋଲର୍‌ଙ୍କୁ ବଲ୍‌ ଶୁଖାଇବା ଲାଗି ତଉଲିଆ ବ୍ୟବହାର କରୁଥିବା ଦେଖିନାହୁଁ। ଏଣୁ ଏହି ବାହାନା ଚଳିବ ନାହିଁ। ଆମେ ଭଲ ବୋଲିଂ କରିନାହୁଁ। ଉଦାହରଣ ସ୍ବରୂପ ୧୯ତମ ଓଭର, ଏବେ ଯାହା ବାସ୍ତବିକ ଚିନ୍ତାର ବିଷୟ ପାଲଟିଛି। ଭୁବନେଶ୍ୱର କୁମାରଙ୍କ ଭଳି ବୋଲର୍‌ଙ୍କୁ ଯେତେବେଳେ ବି ବୋଲିଂ କରିବାକୁ ଦିଆଯାଉଛି, ବ୍ୟାଟ୍ସମ୍ୟାନ ଭଲ ରନ୍‌ ସଂଗ୍ରହ କରୁଛନ୍ତି। ପାକିସ୍ତାନ, ଶ୍ରୀଲଙ୍କା ଆଉ ଏବେ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ମ୍ୟାଚ୍‌ର କେବଳ ୧୯ ତମ ଓଭରର ମୋଟ ୧୮ ବଲ୍‌ରେ ୪୯ରନ୍‌ ଦେଇଛନ୍ତି ସେ। ପ୍ରତିଟି ବଲ୍‌ରେ ଏହା ପ୍ରାୟ ୩ ରନ୍‌ ଭଳି। ତାଙ୍କ ଭଳି ଅନୁଭବୀ ଏବଂ କ୍ଷମତା ଥିବା ବୋଲର୍‌ଙ୍କଠାରୁ ୧୮ ବଲ୍‌ରେ ୩୫ରୁ ୩୬ରନ୍‌ ଦେବା ଆଶା କରାଯାଇପାରେ। ମାତ୍ର ଏବେର ସ୍ଥିତି ବାସ୍ତବରେ ଚିନ୍ତାର ବିଷୟ। ଏହାଛଡ଼ା ଦଳ ଭଲ ସ୍କୋର କରିଥିଲେ ହେଁ ମ୍ୟାଚ୍‌ରେ ବିଜେତା ହୋଇପାରୁ ନାହିଁ। ହେଲେ ବୁମ୍‌ରା ଫେରିଲେ ବୋଲିଂ ବିଭାଗ ମଜଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Share