Categories: ଖେଳ

ପ୍ରଥମେ ଦଳରୁ ବାଦ୍‌, ପରେ ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ…ଏବେ ସାଜିଲେ ‘ମ୍ୟାଚ୍‌ ଓ୍ବିନର’

ନୂଆଦିଲ୍ଲୀ,୩୦।୮: ବିଜୟ ସହ ଏସିଆ କପ୍‌ରେ ନିଜର ଯାତ୍ରା ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୫ ଉଇକେଟରେ ହରାଇଥିଲା। ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ପାଲଟିଥିଲେ ହେଁ ଅନ୍ୟ ଜଣେ ଖେଳାଳି ଏଭଳି ଥିଲେ, ଯିଏ କି ବିରୋଧି ଟିମ୍‌ର ମେରୁଦଣ୍ଡ ଦୋହଲାଇ ଦେଇଥିଲେ। ସେ ହେଲେ ଭୁବନେଶ୍ୱର କୁମାର।

ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ଭୁବନେଶ୍ୱର ୪ ଓଭରରେ ୨୬ ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ଗୋଟିଏ ପରେ ଗୋଟିଏ ଉଇକେଟ ନେଇ ସେ ବିରୋଧୀ ଟିମ୍‌କୁ ରନ୍‌ କରିବାକୁ ଦେଇ ନ ଥିଲେ। ପ୍ରଥମେ ସେ ଅଧିନାୟକ ବାବର ଆଜମଙ୍କ ଉଇକେଟ ନେଇଥିଲେ। ଏହାଛଡ଼ା ସେ ଆସିଫ ଅଲୀ, ଶାଦାବ ଖାଁ ଏବଂ ନସିମ ଶାହଙ୍କୁ ମଧ୍ୟ ପ୍ୟାଭିଲିୟନ ଫେରାଇଥିଲେ।

ଭୁବନେଶ୍ୱର କୁମାରଙ୍କ ପାଇଁ ଗତ ଦୁଇ ବର୍ଷ ସେତେ ଭଲ ନ ଥିଲା। କାରଣ ସେ ଆହତ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। କ୍ରିକେଟ ବ୍ୟତିତ ବ୍ୟକ୍ତିଗତ ଜୀବନରେ ବି ସେ ଖୁସି ନ ଥିଲେ। କାରଣ ତାଙ୍କ ବାପା କିରଣ ପାଲ ସିଂଙ୍କ ମୃତ୍ୟୁ ଘଟିଥିଲା। ଏସବୁ ସମୟ ସହ ଲଢ଼ି ଭୁବନେଶ୍ୱର ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କୁହାଯାଉଛି।

ଆଇପିଏଲ୍‌ ୨୦୨୨ରେ ସେ ୧୨ ଉଇକେଟ ନେଇଥିଲେ। ବୋଲିଂରେ ସୁଧାର ଆଣି ସେ ‘ଡେଥ୍‌ ଓଭର ସ୍ପେଶାଲିଷ୍ଟ’ ହୋଇଥିଲେ। ଏହାପରେ ତାଙ୍କୁ ଭାରତୀୟ ଦଳରେ ପୁଣିଥରେ ସୁଯୋଗ ମିଳିଛି। ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ସେ ନିଜର ଶ୍ରେଷ୍ଠତ୍ଵ ଦେଖାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

Share