ଧର୍ମନିରପେକ୍ଷତାରେ ପକ୍ଷପାତିତା

ଦେଶର ବିଭିନ୍ନ ସମସାମୟିକ ପ୍ରସଙ୍ଗ ସହ ଧର୍ମ ଆଧାରରେ ଦେଶକୁ ଭାଗଭାଗ କରୁଥିବା ତଥା ଭେଦଭାବକୁ ପ୍ରଶ୍ରୟ ଦେଉଥିବା ନିୟମଗୁଡ଼ିକର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲାଲକିଲ୍ଲାରୁ ଅଠସ୍ତରିତମ ସ୍ବାଧୀନତା ଦିବସର ଅଭିଭାଷଣ ରଖିବା ଅବସରରେ ପ୍ରଚଳିତ ନାଗରିକ ସଂହିତାକୁ ଏକ ଭେଦଭାବପୂର୍ଣ୍ଣ ସାମ୍ପ୍ରଦାୟିକ ସଂହିତା ଭାବେ ସେ ଅଭିହିତ କରି ଦେଶକୁ ଧାର୍ମିକ ବିଦ୍ୱେଷରୁ ଦୂରେଇ ରଖିବାକୁ ଏକ ଧର୍ମନିରପେକ୍ଷ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସମାନ ନାଗରିକ ସଂହିତା ଉପରେ ବହୁବାର ନିଜର ଟିପ୍ପଣୀ ରଖିଛନ୍ତି। ତେଣୁ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏଭଳି ପରିବର୍ତ୍ତନର ଆବଶ୍ୟକତା ଉପରେ ସମ୍ପ୍ରସାରିତ ଆଲୋଚନା ପାଇଁ ଦେଶବାସୀଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଥରେ ଏହି ପରିବର୍ତ୍ତନ ହୋଇଗଲେ ଏହା ସମସ୍ତ ଧର୍ମୀୟ ଭେଦଭାବକୁ ଦୂର କରିବା ସହ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ଦୂରତାକୁ କମେଇବାରେ ସହାୟକ ହେବ।
ଯେଉଁ ସମୟରେ ଭାରତ ସହ ସାରା ବିଶ୍ବରେ ଧାର୍ମିକ ଉତ୍ତେଜନା ବୃଦ୍ଧି ପାଉଛି, ସେହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜନତା ବି ସେଇ କଥା ଚାହାନ୍ତି କି ଦେଶରେ ଧର୍ମନିରପେକ୍ଷତା ସହ ସମ୍ବିଧାନ ପ୍ରଦତ୍ତ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱ ଭଳି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ଚିରକାଳ ଅକ୍ଷୁଣ୍ଣ ରହୁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏ ବକ୍ତବ୍ୟ ଉପରେ ଦେଶବାସୀଙ୍କ ମତାମତ ଯାହା ରହୁନା କାହିଁକି, ସରକାର ଚାହିଁଲେ ନିକଟ ଅତୀତରେ ବଦଳିଥିବା ଅନ୍ୟାନ୍ୟ ନିୟମକାନୁନ୍‌ ଭଳି ଏହା ମଧ୍ୟ ବଦଳି ଯିବା କିଛି ଅସମ୍ଭବ ନୁହେଁ। ହେଲେ ଯେଉଁ କଥା କୁହାଯାଉଛି, ସେହିଭଳି ସଂହିତା ପ୍ରଣୟନ କରିବା ଏବଂ ଧର୍ମନିରପେକ୍ଷତାକୁ ବଜାୟ ରଖି ସବୁ ଗୋଷ୍ଠୀ ଓ ସମ୍ପ୍ରଦାୟ ପାଇଁ ସମାନ ଭାବରେ ତାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନେଇ ଅନେକ ସନ୍ଦେହ ତଥା ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। କାରଣ ଅଧିକାଂଶ କ୍ଷେତ୍ରରେ ସରକାରୀ ନିୟମ ଓ ସେସବୁର କାର୍ଯ୍ୟକାରିତାରେ ପାତରଅନ୍ତର ଆଜିକାଲି ଏକ ସାଧାରଣ ଘଟଣା। ସମାନ ନିୟମକୁ ଭିନ୍ନଭିନ୍ନ ଢଙ୍ଗରେ ଲାଗୁ କରିବା ନେଇ ବହୁ ଉଦାହରଣ ଅଛି; କେଉଁଠି କିଏ ଫସିଗଲାଣି ତ ଆଉ କେଉଁଠି କିଏ ଖସିଗଲାଣି। ସମାନ ନିୟମରେ କେତେବେଳେ କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଅଯଥା ଅନୁଗ୍ରହ ପ୍ରାପ୍ତ ହେଉଛି ତ ଅନ୍ୟ କାହାପାଇଁ ଦୃଷ୍ଟିଭଙ୍ଗୀ ବଦଳି ଯାଉଛି। ଧର୍ମନିରପେକ୍ଷତାକୁ ଆଖି ଆଗରେ ରଖି ଗୋଟିଏ ଉଦାହରଣରୁ ଆଲୋଚନାକୁ ଆଗକୁ ନେବା ଉଚିତ ହେବ।
ଉତ୍ତମ ଆଚରଣ ଓ ଉଚ୍ଚାରଣ ସହ ସରକାରୀ ଚାକିରିରେ ସତ୍ୟନିଷ୍ଠ, ଶୋଭନୀୟତା, ଶିଷ୍ଟତା, ତତ୍ପରତା, ନିରପେକ୍ଷତା ଓ କର୍ତ୍ତବ୍ୟପରାୟଣତା ଆଦି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସାମରିକ, ରେଳବାଇ ଏବଂ ସର୍ବଭାରତୀୟ ସେବା ଅନ୍ତର୍ଭୁକ୍ତ ତଥା କିଛି ନିର୍ଦ୍ଦିଷ୍ଟ ଅଧିନିୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ଆଚରଣ ବିଧି ପ୍ରଣୟନ କରିଛନ୍ତି। ହେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ବେସାମରିକ ସେବା (ଆଚରଣ) ନିୟମାବଳୀ, ୧୯୬୪ ପ୍ରଣୟନ କରାଯାଇଛି। ଯେକୌଣସି କର୍ମଚାରୀଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ କ୍ଷମତାର ପ୍ରୟୋଗ ପୂର୍ବକ ବ୍ୟକ୍ତିଗତ ସ୍ବାର୍ଥ ଓ ଲିଙ୍ଗଗତ ଭେଦଭାବରୁ ଊର୍ଦ୍ଧ୍ୱରେ ଏବଂ ଦେଶ ତଥା ଦଶର ସ୍ବାର୍ଥରେ ନିଜ ବିବେକ ଓ ବୁଦ୍ଧିର ସର୍ବୋତ୍ତମ ପ୍ରୟୋଗ ଦ୍ୱାରା ସମ୍ପୂର୍ଣ୍ଣ ଧର୍ମନିରପେକ୍ଷତାର ସହ ପ୍ରତ୍ୟେକଟି ସରକାରୀ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସ୍ବଚ୍ଛତାର ସହ ସମ୍ପାଦନ କରିବା ଏହି ନିୟମାବଳୀର ଲକ୍ଷ୍ୟ। ସର୍ବୋପରି ୧୯୬୪ର ଏହି ନିୟମାବଳୀର ଧାରା- ୫ରେ କୌଣସି ରାଜନୈତିକ ଦଳ ବା ରାଜନୀତିରେ ଭାଗ ନେଉଥିବା କୌଣସି ସଂଗଠନର ସଦସ୍ୟତା ଗ୍ରହଣ କରିବାକୁ ଅଥବା କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗନେବାକୁ କିମ୍ବା ଏଭଳି ଦଳୀୟ ବା ସାଂଗଠନିକ କାର୍ଯ୍ୟକ୍ରମକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ କର୍ମଚାରୀମାନଙ୍କୁ ସିଧାସଳଖ ବାରଣ କରାଯାଇଛି। କୌଣସି ଦଳ ରାଜନୈତିକ ଦଳ କି ନୁହେଁ କିମ୍ବା କୌଣସି ସଂଗଠନ ରାଜନୀତିରେ ଭାଗ ନେଉଛି କି ନାହିଁ ବା ଏହାର ଗତିବିଧି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ନୁହେଁ, ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିର୍ଣ୍ଣୟ ହିଁ ଅନ୍ତିମ।
ଏହି କ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ଜମାତ-ଏ-ଇସ୍‌ଲାମି ଭଳି ଦୁଇଟି ସଂଗଠନରେ ସରକାରୀ କର୍ମଚାରୀମାନଙ୍କୁ ସଦସ୍ୟ ନ ହେବାକୁ ଏବଂ ଏମାନଙ୍କର କୌଣସି କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ଧାରା-୫ର ଉପଧାରା-୧୨ରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହାସହ ୩୦ ନଭେମ୍ବର ୧୯୬୬ରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରି ପରବର୍ତ୍ତୀ ସମୟରେ (୨୫ ଜୁଲାଇ ୧୯୭୦ ଓ ୨୮ ଅକ୍ଟୋବର ୧୯୮୦) ସେସବୁକୁ ଦୋହରେଇଛନ୍ତି। ସ୍ପଷ୍ଟ ଆଲୋଚନା ମାଧ୍ୟମରେ ସରକାର ଉପଧାରା- ୧୨ରେ ଲିପିବଦ୍ଧ କରିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ପକ୍ଷେ ଧର୍ମନିରପେକ୍ଷ ଦୃଷ୍ଟିକୋଣ ବଜାୟ ରଖିବା ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ। ସାମ୍ପ୍ରଦାୟିକ ଭାବନାର ମୂଳୋତ୍ପାଟନ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। କୌଣସି ସାମ୍ପ୍ରଦାୟିକ ସଂଗଠନକୁ ପ୍ରୋତ୍ସାହିତ କରିବା କିମ୍ବା ସାମ୍ପ୍ରଦାୟିକତା ଆଧାରରେ କୌଣସି ଆବେଦନ ନିବେଦନକୁ ଧ୍ୟାନ ଦେବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି କୌଣସି କର୍ମଚାରୀ ଉପରୋକ୍ତ ନିର୍ଦ୍ଦେଶ ବିରୋଧରେ ଯା’ନ୍ତି, ତେବେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
କିନ୍ତୁ ୯ ଜୁଲାଇ ୨୦୨୪ରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି କେବଳ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଉପରୁ ଉପରୋକ୍ତ ପ୍ରତିବନ୍ଧକ ଉଠେଇ ନେଇଛନ୍ତି। ଅର୍ଥାତ୍‌ ଏବେ ସରକାରୀ କର୍ମଚାରୀମାନେ ବିନା ପ୍ରତିବନ୍ଧକରେ ଆର୍‌ଏସ୍‌ଏସ୍‌ର ସଭ୍ୟ ପଦ ଗ୍ରହଣ କରିବା ସହ ତା’ର ସମସ୍ତ କାର୍ଯ୍ୟକ୍ରମରେ ଭାଗନେଇପାରିବେ। ଆର୍‌ଏସ୍‌ଏସ୍‌ ଉପରୁ ପ୍ରତିବନ୍ଧକ ଉଠେଇ ସରକାର ଏକତରଫା ଭାବେ ନିଜେ ପ୍ରଣୟନ କରିଥିବା କେନ୍ଦ୍ରୀୟ ବେସାମରିକ ସେବା(ଆଚରଣ) ନିୟମାବଳୀ, ୧୯୬୪ର ଖୋଲା ଉଲ୍ଲଂଘନ କରିବା ସହ ଧର୍ମନିରପେକ୍ଷତାକୁ ନିରୁତ୍ସାହିତ କରୁଛନ୍ତି। ଏହା ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି।
ସ୍ବାଧୀନ ଭାରତର ସରକାର କୋଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦଳ, ଗୋଷ୍ଠୀ, ସଂଗଠନ ବା ସମ୍ପ୍ରଦାୟର ମାଲିକାନାରେ ନୁହେଁ ବରଂ ସାଧାରଣ ଜନତାଙ୍କର, ଜନତାଙ୍କ ଦ୍ୱାରା ଓ ଜନତାଙ୍କ ପାଇଁ। ତେଣୁ ପ୍ରଧାନମନ୍ତ୍ରୀ ଧର୍ମନିରପେକ୍ଷ ନାଗରିକ ସଂହିତାର ପ୍ରଣୟନ କଥା ଉଠେଇବା ପୂର୍ବରୁ ଧର୍ମନିରପେକ୍ଷତାକୁ ବଜାୟ ରଖିବା ପାଇଁ ଉପରୋକ୍ତ ମହଜୁଦା ନିୟମାବଳୀ କିଭଳି ଏକ ନିର୍ଦ୍ଦିଷ୍ଟ ସଂଗଠନ ଉଦ୍ଦେଶ୍ୟରେ ରାତାରାତି ବଦଳିଗଲା ତାକୁ ସମୀକ୍ଷା କରିବାର ଆବଶ୍ୟକତା ଥିଲା। ନିୟମ ପ୍ରଣୟନ କରିବାରେ କିଛି ବିଚିତ୍ରତା ନାହିଁ। ପ୍ରଗତିର ଅନ୍ୟ ନାମ ପରିବର୍ତ୍ତନ। ତେଣୁ ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଦେଶର ହିତରେ ପୁରୁଣା ନିୟମ ବଦଳିବା ଅତି ସ୍ବାଗତଯୋଗ୍ୟ। କିନ୍ତୁ ତାହା ଯଦି ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ୱରେ ଦେଶର ହିତ ସାଧନ ନ କରି ଏକ ନିର୍ଦ୍ଦିଷ୍ଟ ସଂଗଠନ କି ସମ୍ପ୍ରଦାୟର ସ୍ବାର୍ଥ ରକ୍ଷାରେ ଲାଗୁ କରାଯାଏ, ତେବେ ଏହା ଉଭୟ ଗଣତନ୍ତ୍ର ଓ ସମ୍ବିଧାନର ଅମର୍ଯ୍ୟାଦା କହିଲେ ଅତ୍ୟୁକ୍ତି ହେବନାହିଁ।
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri