Categories: ଜାତୀୟ

ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ଘଟଣା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଭବ କୁମାର

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୨ରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିବା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଏବେ ବିଭବ କୁମାର ସ୍ବତନ୍ତ୍ର ଛୁଟି ଆବେଦନ କରିଛନ୍ତି।

ବାସ୍ତବରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍‌ ଅନୁପ କୁମାର ବିଭବ କୁମାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ। ଏଭଳି ପରିସ୍ଥିତିରେ ତାଙ୍କର ବହୁତ ପ୍ରଭାବ ରହିଛି ଏବଂ ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ କୌଣସି ଆଧାର ନାହିଁ ବୋଲି ମନେହୁଏ। ତାଙ୍କ ନିଷ୍ପତ୍ତିର ଶେଷରେ ବିଚାରପତି କହିଛନ୍ତି ଯେ, ଅଭିଯୋଗର ପ୍ରକୃତି ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କୁ ଜାମିନରେ ଦେବାର କୌଣସି ପ୍ରମାଣ ନାହିଁ।

ବିଭବଙ୍କୁ ୧୮ ମେ’ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଗିରଫ ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଦାଲତ ବିବେକଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିଲେ। ମେ’ ୧୩ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସରକାରୀ ବାସଭବନରେ ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ସ୍ବାତୀ ଦିଲ୍ଲୀ ପୋଲିସ ସହ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି।

Share