ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ ଜଙ୍ଗଲରେ ଶୀକାର କରି କଞ୍ଚା ମାଂସ ଆହାର କରୁଥିଲା । କିନ୍ତୁ ଆଜିର ଡିଜିଟାଲ ଯୁଗରେ ଗରୀବ ପଣିଆ ପୁଣି ମଣିଷକୁ କଞ୍ଚା ମାଂସ ଖାଇବାକୁ ବାଧ୍ୟ କରିଛି । କଥାଟି କାହାଣୀ ପରି ଲାଗୁଥିଲେ ହେଁ ସମ୍ପୂର୍ଣ୍ଣ ସତ୍ୟ । ଦିନେ କି ଦୁଇ ଦିନ ନୁହେଁ ଆଜକୁ ୬/୭ ବର୍ଷ ହେଲା ଜଣେ ଗରୀବ ମଣିଷ ଭିକ୍ଷା ବୃତି କରି ଚଳିବା ସହ ଭୋକ ମେଣ୍ଟାଇବା ପାଇଁ କଞ୍ଚା ମାଂସ ଖାଉଛନ୍ତି। ସବୁଠୁ ବଡ଼ କଥା ହେଲା ଆଜି ଯାଏ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିନାହିଁ ା ଏହି ବ୍ୟକ୍ତି ଜଣକ ହେଲେ ବିଛନ୍ଦ ଦିଗାଲ ।
ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ମୁସିୁଗୁଡାରେ ବିଛନ୍ଦଙ୍କ ଘର। ସେ ପ୍ରାୟ ୬/୭ ବର୍ଷ ହେଲା ଫୁଲବାଣୀ ଆସି ଭିକ୍ଷା ବୃତ୍ତି କରୁଛନ୍ତି। ରହିବା ପାଇଁ ଘର ନ ଥିବାରୁ ମାଦିକୁନ୍ଦା ଛକରେ ଥିବା ଦୋକାନ ବାରଣ୍ଡାରେ ରାତ୍ରି ଯାପନ କରୁଛନ୍ତି। ଭିକ୍ଷା ବୃତିରୁ ଯାହା ମିଳୁଛି ସେଥିରୁ କିଛି ଟଙ୍କା ଛକରେ ଥିବା ବ୍ରଏଲର ଦୋକାନୀଙ୍କୁ ଦେଇ କଲିଜା, କରାଟ କିଣୁଛନ୍ତି। ଦିନକୁ ଦୁଇ ଥର କିଣି ଏହାକୁ କଞ୍ଚା ଖାଉଛନ୍ତି । ବିଛନ୍ଦ କୁହନ୍ତି ମୁଁ ଗରୀବ । ଘରେ କେହି ନାହାନ୍ତି ା ଏଠାରେ ଭିକ୍ଷା ବୃତି କରୁଛି ା ରହିବା ପାଇଁ ଘର ନାହିଁ କି ରୋଷେଇ କରିବାକୁ କିଛି ସୁବିଧା ନାହିଁ । ମୁଁ କଞ୍ଚା ମାଂସ ଖାଇବାକୁ ବାଧ୍ୟ ହେଉଛି । ଏ ସମ୍ପର୍କରେ ବ୍ରଏଲର ଦେକାନୀ କୁହନ୍ତି ସେ ଆମକୁ ୨୦/୩୦ ଟଙ୍କା ଦେଇ କଲିଜା, କରାଟ କିଣି ନେଉଛନ୍ତି। ଆମେ ଭାବୁଥିଲୁ ସେ ରୋଷେଇ କରି ଖାଉଥିବେ । କିନ୍ତୁ ଦେଖିଲା ବେଳକୁ କଞ୍ଚା ଖାଉଛନ୍ତି। ତାଙ୍କୁ ରୋଷେଇ କରି ଖାଇବାକୁ ଅନେକ ଥର କହିଛୁ । ହେଲେ ଓ ଶୁଣୁ ନାହାନ୍ତି । ଏପରି କଞ୍ଚା ମାଂସ ଖାଇ ଚାଲିଛନ୍ତି ।
ଖବର ନେବାରୁ ଜଣାପଡିଛି ବିଛନ୍ଦଙ୍କ ସମାନ୍ୟ ମାନସିକ ବିକୃତି ରହିଛି । ଘରେ ତାଙ୍କର ସ୍ତ୍ରୀ ଅଛନ୍ତି । ଗ୍ରାମରେ ପୈତୃକ ସମ୍ପତି ସହ ଘର ବି ଅଛି । ହେଲେ ସେ ଘରେ ରହୁ ନାହାନ୍ତି। ଫୁଲବାଣୀ ଆସି ଭିକ୍ଷା ବୃତି କରି ଏଭଳି ଜୀବନ ବିତାଉଛନ୍ତି। ଅନେକ ଥର ଘର ଲୋକେ ଆସି ତାଙ୍କୁ ନେଇ ଯାଆନ୍ତି। ହେଲେ ସେ ଗ୍ରାମରେ ନ ରହି ଚାଲି ଆସନ୍ତି। ମାନସିକ ବିକୃତି ଏବଂ ନିଶା ଖାଉଥିବାରୁ ସେ କଞ୍ଚା ମାଂସ ଖାଇ ଦେଉଥିବା ତାଙ୍କ ଗ୍ରାମର କିଛି ବ୍ୟକ୍ତି କହିଛନ୍ତି। ସେ ଭତା ଏବଂ ଚାଉଳ ମଧ୍ୟ ପାଉଥିବା ଜଣାପଡ଼ିଛି ।