ବାଇଡେନ୍‌ଙ୍କ ବୟସ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି। ଅସୁବିଧା ହେଉଛି, ତାଙ୍କୁ ବର୍ତ୍ତମାନ ନିଜ ଦଳର ଲୋକମାନେ ଓହରିଯିବାକୁ ଅନୁରୋଧ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ, ସେ ବୃଦ୍ଧ ହୋଇଗଲେଣି ଏବଂ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଅକ୍ଷମ। ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ନେତାଙ୍କ ଅପେକ୍ଷା ଆମେରିକୀୟ ରାଷ୍ଟ୍ରପତିମାନେ ବ୍ୟାପକ କ୍ଷମତା ପ୍ରୟୋଗ କରୁଥିବାରୁ ସେମାନଙ୍କ ବୟସକୁ ନେଇ ଦୀର୍ଘଦିନ ହେବ ପ୍ରଶ୍ନ ଉଠିଆସିଛି। ରୋନାଲ୍‌ଡ ରେଗାନ୍‌ଙ୍କୁ ୭୩ ବର୍ଷ ବୟସ ହୋଇଥିବାବେଳେ ସେ ତାଙ୍କର ଦ୍ୱିତୀୟ ପାଳି ପାଇଁ ପ୍ରଚାର କରୁଥିଲେ।
ବାଇଡେନ ତାଙ୍କ ବିତର୍କ ସମୟରେ ମାନ୍ଦା ଥିଲାବେଳେ ରେଗାନ୍‌ ଟେଲିଭିଜନ ପ୍ରସାରଣରେ ସିଧାସଳଖ ବୟସ ପ୍ରସଙ୍ଗକୁ ନେଇଥିଲେ। ଯେତେବେଳେ ରାଜନୈତିକ ଖବରଦାତା ହେନେରୀ ଟ୍ରୁହିଟ ଉଲ୍ଲେଖ କରିଥିଲେ ଯେ, ‘ତୁମେ ଇତିହାସର ସବୁଠୁ ବୟସ୍କ ରାଷ୍ଟ୍ରପତି।’ ରେଗାନ୍‌ ଏହାର ଉତ୍ତରରେ କହିଥିଲେ, ”ମଁୁ ତୁମକୁ ଜଣାଇବାକୁ ଚାହେଁ ଯେ, ଏହି ନିର୍ବାଚନ ପ୍ରଚାରରେ ମୁଁ ବୟସକୁ ଏକ ପ୍ରସଙ୍ଗ କରିବି ନାହିଁ। ରାଜନୈତିକ ଉଦ୍ଦେଶ୍ୟରେ ମୁଁ ମୋର ପ୍ରତିପକ୍ଷର ଯୁବକ ଏବଂ ଅନଭିଜ୍ଞଙ୍କୁ ଶୋଷଣ କରିବାକୁ ଯାଉ ନାହିଁ।“ ରେଗାନ୍‌ଙ୍କୁ ତାଙ୍କ ଦ୍ୱିତୀୟ ପାଳି ଶେଷବେଳେ ଯେତିକି ବୟସ ଥିଲା ଏବେ ବାଇଡେନ୍‌ଙ୍କ ବୟସ ତା’ଠାରୁ ଅଧିକ ହୋଇଗଲାଣି ଏବଂ ଅଫିସ ଚଳାଇବା ପାଇଁ ସେ ଅତି ବୟସ୍କ ହୋଇଯାଇଛନ୍ତି। ଆମେରିକାର ସମ୍ବିଧାନରେ ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ (୩୫) ଧାର୍ଯ୍ୟ କରାଯାଇଛି, କିନ୍ତୁ ଏହାର କୌଣସି ସର୍ବୋଚ୍ଚ ସୀମା ନାହିଁ। ଅବଶ୍ୟ, ଏହି ସମୟରେ ବାଇଡେନ ଏବଂ ଟ୍ରମ୍ପଙ୍କ ପୂର୍ବରୁ ଯୁବ ରାଷ୍ଟ୍ରପତିମାନେ ଦାୟିତ୍ୱ ନେଇଛନ୍ତି। ଓବାମା ୪୭ ରେ, ବୁଶ ୫୪ ରେ ଏବଂ କ୍ଲିଣ୍ଟନ ୪୬ବର୍ଷ ବୟସରେ ରାଷ୍ଟ୍ରପତି ହୋଇଥିଲେ। ଦେଖିବାକୁ ବାଇଡେନ ହେଉଛନ୍ତି ସବୁଠୁ ବୟସ୍କ ଏବଂ ଏକ କ୍ୟାବିନେଟ୍‌ର ନେତୃତ୍ୱ ନେଉଛନ୍ତି; ଯେଉଁଥିରେ ବିଶେଷକରି ଯୁବକ ନାହାନ୍ତି। କ୍ୟାବିନେଟ୍‌ର ବରିଷ୍ଠ ସଦସ୍ୟମାନେ ହେଲେ କମଲା ହାରିସ (୫୯), ପରରାଷ୍ଟ୍ର ସଚିବ ଆନ୍ଥୋନୀ ବ୍ଲିଙ୍କେନ (୬୨), ଅର୍ଥମନ୍ତ୍ରୀ ଜାନେଟ ୟେଲେନ (୭୭) ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲିଉଡ ଅଷ୍ଟିନ (୭୦)। ଏବେ ବ୍ରିଟେନ ସାଧାରଣ ନିର୍ବାଚନରେ କିର୍‌ ଷ୍ଟର୍ମରଙ୍କଠାରୁ ଋଷି ସୁନକଙ୍କର ପରାଜୟ ଘଟିଛି। ଷ୍ଟର୍ମର ବୟସରେ ସୁନକଙ୍କଠାରୁ ବହୁତ କମ୍‌। ଉପ-ପ୍ରଧାନମନ୍ତ୍ରୀ ଆଞ୍ଜେଲା ରେନରଙ୍କୁ ୪୪ ବର୍ଷ, ଅର୍ଥମନ୍ତ୍ରୀ ରାଚେଲ ରିଭ୍‌ସ ୪୫ ବର୍ଷ, ଗୃହମନ୍ତ୍ରୀ ୟଭେଟ କୋପର ୫୫ ଏବଂ ବୈଦେଶିକ ମନ୍ତ୍ରୀ ଡେଭିଡ ଲାମି ୫୧ ବର୍ଷ। ଷ୍ଟାରମରଙ୍କୁ ୬୧ବର୍ଷ ଏବଂ ସେ ବାଇଡେନଙ୍କ ସାନ ପିଢ଼ିର। ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତାବର୍ଷ ୭୫ ବର୍ଷ ବୟସ ହେବ । କିନ୍ତୁ କହିଛନ୍ତି ଯେ, ସେ ଅଫିସରେ ରହିବେ। କ୍ୟାବିନେଟ୍‌ରେ ଶୀର୍ଷ ପୋର୍ଟଫୋଲିଓରେ ଥିବା ଲୋକ ପୂର୍ବଭଳି ରହିଛନ୍ତି। ଏଥିରେ କନିଷ୍ଠ ହେଉଛନ୍ତି ଅମିତ ଶାହା(୫୯)। ତା’ପରେ ରାଜନାଥ ସିଂ (୭୨), ନିର୍ମଳା ସୀତାରାମନ (୬୪), ଏସ୍‌. ଜୟଶଙ୍କର (୬୯) ଏବଂ ନିତୀନ ଗଡ୍‌କରୀ (୬୭) । ସଂସଦୀୟ ଗଣତନ୍ତ୍ରଗୁଡ଼ିକରେ ଯେଉଁଠି ପାର୍ଲାମେଣ୍ଟ ସହ କାର୍ଯ୍ୟପାଳିକା ଜଡ଼ିତ ରହିଛି, ସେଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳିତ ସରକାର ଢାଞ୍ଚା କମ୍‌ ଶକ୍ତିଶାଳୀ ଏବଂ କିଛି ଆଭ୍ୟନ୍ତରୀଣ ବାଧା ରହିଛି । ଆମେରିକାରେ ଭୟ ହେଉଛି, ବାଇଡେନ୍‌ ହୁଏତ କିଛି ବିପର୍ଯ୍ୟୟ ଘଟାଇ ପାରନ୍ତି କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାରେ କମ୍‌ ସକ୍ଷମ ହୋଇପାରନ୍ତି ।
ଅନେକ ଆମେରିକୀୟ ଭୟ କରନ୍ତି ଯେ, ଟ୍ରମ୍ପଙ୍କ ପରାଜୟ ପର ଘଟଣାକୁ ଦେଖିଲେ ସେମାନଙ୍କ ଦେଶର ଗଣତନ୍ତ୍ର ବିପଦରେ ପଡ଼ିଥିଲା। ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପଟୋଲ ବିଲଡିଂ ଉପରେ ଆକ୍ରମଣ ହୋଇଥିଲା । ଉପରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିଜେତା ଘୋଷଣା କରନ୍ତୁ ବୋଲି ଆକ୍ରମଣକାରୀମାନେ ଚାହୁଁଥିଲେ। ଆମେରିକୀୟମାନେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଟ୍ରମ୍ପ ପରାଜିତ ହେଉ ଏବଂ ତାହା ଘଟିବା ପାଇଁ ଡେମୋକ୍ରାଟଙ୍କ ନିକଟରେ ସର୍ବୋତ୍ତମ ସମ୍ଭାବ୍ୟ ପ୍ରାର୍ଥୀ ରହିବା ଆବଶ୍ୟକ। ବାଇଡେନ ଦୀର୍ଘଦିନ ଧରି ଦାବି କରିଆସୁଥିଲେ ଯେ ସେହି ସମ୍ଭାବ୍ୟ ପ୍ରାର୍ଥୀ ସେ ହିଁ ହେବା ଉଚିତ କିନ୍ତୁ ପ୍ରଥମ ବିତର୍କରେ ତାଙ୍କର ପ୍ରଦର୍ଶନକୁ ନେଇ ଅନେକ ସନ୍ଦେହ ଉଠିଛିି । ସେ ଆଗକୁ ଯିବେ କି ନାହିଁ ତାହା ସ୍ଥିର କରିବା ପାଇଁ ବାଇଡେନ ନିଷ୍ପତ୍ତି ନେବେ । ତାଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ ହେଉଛି, ନିର୍ବାଚନ ପାଇଁ ବାକି ଥିବା କେତୋଟି ମାସ ତାଙ୍କର ଅଧିକ ତ୍ରୁଟି ଓ ଦୁର୍ବଳତା ପ୍ରକାଶ କରିବା ଲାଗି ପର୍ଯ୍ୟାପ୍ତ ସମୟ ହୋଇପାରେ।
ବାଇଡେନ ଯଦି ପୁଣି ଥରେ ଟେଲିଭିଜନର ସିଧା ପ୍ରସାରଣରେ କହିବାରେ କଠିନତା ପ୍ରକାଶ କରନ୍ତି ତେବେ ତାଙ୍କ ସପକ୍ଷବାଦୀମାନେ ତାଙ୍କୁ ସମର୍ଥନ କରିବା ଦେଖିବା କଷ୍ଟକର ହୋଇଯିବ। ଯଦି ସେ ନିର୍ବାଚନରୁ ଓହରି ଯିବେ ତେବେ କ’ଣ ଘଟିବ? ଆମେରିକାରେ ବହୁ ଜଟିଳ ଅଞ୍ଚଳରେ ପ୍ରାଇମେରୀ ଭୋଟରମାନେ ଡେମୋକ୍ରାଟ୍‌ଙ୍କ ସମର୍ଥନରେ ଥିବା ଜଣାପଡ଼ିଛି। ସେମାନେ ଗୋଟିଏ ଗୋଷ୍ଠୀର ପ୍ରତିନିଧିଙ୍କୁ ନିର୍ବାଚିତ କରିଛନ୍ତି, ଯେଉଁମାନେ ଏକ ନିର୍ବାଚନ ପ୍ୟାନେଲ ଭାବେ କାର୍ଯ୍ୟ କରିବେ । ଫଳରେ ଜଟିଳ ନାମାଙ୍କନ ଲଢ଼େଇ ହେବ ନାହିଁ। ବାଇଡେନଙ୍କ ସମର୍ଥନରେ ଥିବା ଏହି ପ୍ରତିନିଧିମାନେ ଏବେ ଆଉ କାହାକୁ ବାଛିପାରନ୍ତି। ସେମାନଙ୍କ ମଧ୍ୟରେ ରହିପାରନ୍ତି ଉପରାଷ୍ଟ୍ରପତି କମଲା ହାରିସ; ଯାହାଙ୍କୁ ଶୀର୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି, କିନ୍ତୁ ସେ ଲୋକ ପ୍ରିୟ ନୁହନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କାଲିଫର୍ନିଆ ଗଭର୍ନର ଗାଭିନ ନ୍ୟୁଜମ ଏବଂ ଅନ୍ୟ ରାଜ୍ୟ ନେତାଗଣ, ; ଯେଉଁମାନେ ଜାତୀୟ ସ୍ତରର ବ୍ୟକ୍ତିତ୍ୱ ନୁହନ୍ତି। ଯଦି ସେମାନଙ୍କୁ ମନୋନୀତ କରାଯାଏ, ତେବେ ଟ୍ରମ୍ପଙ୍କ ବିରୋଧରେ ଲଢ଼ିବାକୁ ହେଲେ ସେମାନଙ୍କୁ ଖ୍ୟାତି ଅର୍ଜନ କରିବାକୁ ହେବ। ଡେମୋକ୍ରାଟମାନେ ଏହା ଉପରେ କିଭଳି କାର୍ଯ୍ୟ କରୁଛନ୍ତି ତାହା ଦେଖିବା ଆମମାନଙ୍କ ପାଇଁ କୌତୂହଳପୂର୍ଣ୍ଣ ହେବ। ଯଦି ଟ୍ରମ୍ପ ଜିତନ୍ତି କିମ୍ବା ପୁଣି ହାରନ୍ତି, ତେବେ ତାହା ଆହୁରି ମଜାଦାର ହେବ। ଏଭଳି ସ୍ଥିତିରେ ବାଇଡେନଙ୍କୁ ନଭେମ୍ବରରେ ତାଙ୍କ ପାର୍ଟି ଓ ଆମେରିକାର ଜନସାଧାରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ସେ କେବଳ ରାଷ୍ଟ୍ରପତି ପାଇଁ ଫିଟ୍‌ ନୁହନ୍ତି ବରଂ ଚାରି ବର୍ଷ ଲାଗି ଦାୟିତ୍ୱରେ ରହିବା ଲାଗି ସକ୍ଷମ।
Email:aakar.patel@gmail.com