କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ ଲେଡି (ଦେଶର ପ୍ରଥମ ମହିଳା) ସମ୍ବୋଧନ କରିଥିଲେ। ଏହା ପରେ ହ୍ବାଇଟ୍‌ ହାଉସ୍‌ରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ହାରିସ୍‌ଙ୍କୁ ଫାଷ୍ଟ ଲେଡି ବୋଲି କହି ତାଙ୍କ ସ୍ବାମୀ ଡୋଗଲସ୍‌ ଏମ୍‌ହଫ୍‌ କୋଭିଡ୍‌ରେ ସଂକ୍ରମିତ ହୋଇଥିବା ବାଇଡେନ୍‌ ସମ୍ବୋଧନରେ ଦର୍ଶାଇଥିଲେ। ଡୋଗଲସ୍‌ କରୋନାରେ ଆକ୍ରାନ୍ତ କାରଣରୁ କାର୍ଯ୍ୟକ୍ରମ ଆୟୋଜନରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ବାଇଡେନ୍‌ କହୁଥିବାବେଳର ଏକ ଭିଡିଓ ମଧ୍ୟ ସାମ୍‌ନାକୁ ଆସିଛି। ବକ୍ତବ୍ୟ ଆରମ୍ଭ କରିବା ବେଳେ ବାଇଡେନ୍‌ ନିଜକୁ ଫାଷ୍ଟ ଲେଡିଙ୍କ ସ୍ବାମୀ ବୋଲି ଦର୍ଶାଇଥିଲେ। ‘ମୁଁ ଜୋ ବାଇଡେନ୍‌। ଜିଲ୍‌ ବାଇଡେନ୍‌ଙ୍କ ସ୍ବାମୀ ଏବଂ ଏଥିପାଇଁ ଗର୍ବିତ ବୋଲି ରାଷ୍ଟ୍ରପତି କହିଥିଲେ। ଏହାବାଦ୍‌ କାର୍ଯ୍ୟକ୍ରମରେ ମହିଳା କର୍ମଚାରୀଙ୍କୁ ସମାନ ବେତନ ଦେବା ଉପରେ ବାଇଡେନ୍‌ ଗୁରୁତ୍ୱ ଦେଇଥିଲେ। ପେ ଗ୍ୟାପ୍‌ ବା ବେତନରେ ଅସମାନତା ଦୂର କରିବା ପାଇଁ ସେ ନିଜ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଡିପାର୍ଟମେଣ୍ଟ ଅଫ୍‌ ଲେବର ଡାଟା ଉପରେ ହାଉସ୍‌ ସ୍ପିକର ନାନ୍‌ସୀ ପେଲୋସି ଏବଂ ଡି-କାଲିଫ୍‌ ପାଉଣା ପ୍ରଦାନରେ ଥିବା ଅସମାନତାକୁ ଦର୍ଶାଇଥିଲେ। ୨୦୨୦ରେ ଆମେରିକାରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ୧ ଡଲାର ବଦଳରେ ୮୩ ସେଣ୍ଟ୍‌ସ ଆୟ କରିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ସମାନ ବେତନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବାଇଡେନ୍‌ କହିଥିଲେ।

 

Share