ଆର୍‌ଏସ୍‌ଏସ୍ ସହ ଜଡିତ ସଦସ୍ୟଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ!

ୱାଶିଂଟନ,୨୨ ।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ୨୦ ଜାନୁୟାରୀ ବୁଧବାର ଶପଥ ଗ୍ରହଣ କରି ସାରିଛନ୍ତି । ଏବେ ତାଙ୍କ ଟିମ୍‌ରେ କିଏ ସାମିଲ ହୋଇଛନ୍ତି କିଏ ସାମିଲ ହୋଇ ନାହାନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ଭାରତର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଅବା ଭାରତୀୟ ଜନତା ପାର୍ଟି(ଭାଜପା) ସହ ଜଡିତ ଲୋକଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ । ଅନ୍ୟପଟେ ବାଇଡେନଙ୍କ ଟିମ୍‌ରେ ୨୦ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ମିଳିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ବାରାକ ଓବାମାଙ୍କ କାର୍ଯ୍ୟକାଳରେ ତାଙ୍କ ସହ ଥିବା ସୋନଲ ଶାହାଙ୍କୁ ବାଇଡେନଙ୍କ ଟିମ୍‌ରେ ସ୍ଥାନ ମିଳିନାହିଁ । ସେହିପରି ନିର୍ବାଚନ ପ୍ରଚାର ସମୟରେ ବାଇଡେନଙ୍କ ସହ ଥିବା ଅମିତ ଜାନିଙ୍କୁ ମଧ୍ୟ ବାଇଡେନଙ୍କ ଟିମରେ ସାମିଲ କରାଯାଇ ନାହିଁ । ଶୁଣିବାକୁ ମିଳିଛି ଯେ ଜାନିଙ୍କର କୁଆଡେ ଭାଜପା ଓ ଆର୍‌ଏସ୍‌ଏସ୍ ସହ ସମ୍ପର୍କ ରହିଛି । ସେହିପରି ସୋନଲ ଶାହାଙ୍କ ପିତାଙ୍କର ମଧ୍ୟ ଭାଜପା ଓ ଆର୍‌ଏସ୍‌ଏସ୍ ସମ୍ପର୍କ ରହିଛି ବୋଲି କୁହାଯାଉଛି ।

Share