ଚାଇନା ବିରୋଧୀ ବିଲ୍‌କୁ ବାଇଡେନ୍‌ଙ୍କ ମୋହର

ଓ୍ବାଶିଂଟନ,୨୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଞ୍ଜିଆନ୍‌ ପ୍ରଦେଶରେ ସଂଖ୍ୟାଲଘୁ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ବେଜିଂକୁ ଦଣ୍ଡିତ କରିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଗତ ସପ୍ତାହରେ ଏହା ସନେଟର ଉଭୟ ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଶିଞ୍ଜିଆନ୍‌ ଅଞ୍ଚଳରୁ ଆମଦାନୀ କରାଯାଇଥିବା ସାମଗ୍ରୀ ଉତ୍ପାଦନରେ ଗୋତି ଶ୍ରମିକଙ୍କୁ ନିୟୋଜିତ କରାଯାଇ ନ ଥିବା ନେଇ କମ୍ପାନୀଗୁଡ଼ିକ ପ୍ରମାଣ ନ ଦେବା ପର୍ଯ୍ୟନ୍ତ ସେଗୁଡ଼ିକ ଆମେରିକାକୁ ଆସିପାରିବ ନାହିଁ। ଉଇଗର ଫୋର୍ସଡ୍‌ ଲେବର ପ୍ରିଭେନ୍‌ସନ୍ସ ଆକ୍ଟ ନାମରେ ଅଣାଯାଇଥିବା ନୂଆ ଆଇନ ଫଳରେ ଉଇଗର ଓ ମୁସଲମାନ ସଂଖ୍ୟାଲଘୁଙ୍କ ଉପରେ ଚାଇନାର ବର୍ବରତାକୁ ହ୍ରାସ କରାଯାଇପାରିବ ବୋଲି ଆମେରିକା ମନେକରୁଛି। ଦାସ ଶ୍ରମିକମାନଙ୍କ ବ୍ୟବହାର ପାଇଁ ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ ଆମେରିକା ଉତ୍ତରଦାୟୀ କରିବ। ଏଥିଲାଗି ଉକ୍ତ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ବୋଲି ସିନେଟର ମାକ୍ରୋ ରୁବିଓ ଏକ ବିବୃତିରେ କହିଛନ୍ତି।

Share