ଗ୍ରୀନ୍‌କାର୍ଡ ଯୋଗ୍ୟତା କୋହଳ କଲେ ବାଇଡେନ୍‌

ଓ୍ବାଶିଂଟନ, ୧୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଯେଉଁମାନେ ଗ୍ରୀନ୍‌ କାର୍ଡ ପାଇଁ ଦୀର୍ଘଦିନ ହେଲା ଅପେକ୍ଷା କରିଛନ୍ତି, ସେମାନଙ୍କ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଯୋଗ୍ୟତା ମାନଦଣ୍ଡରେ କୋହଳ କରିଛନ୍ତି। ଏଥି ସକାଶେ ଆମେରିକା ସିଟିଜେନ୍‌ଶିପ୍‌ ଆଣ୍ଡ ଇମିଗ୍ରେଶନ ସର୍ଭିସେସ୍‌ ପକ୍ଷରୁ ନୀତି ମାର୍ଗଦର୍ଶନ ଜାରି କରାଯାଇଛି। ଏହା ଦ୍ୱାରା ଗ୍ରୀନ୍‌ କାର୍ଡ ବା ସ୍ଥାୟୀ ବସତି ପାଇଁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟ ପ୍ରଯୁକ୍ତି ପେସାଦାରମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ମୋଦି ଜୁନ୍‌ ୨୧ରୁ ୨୪ ଆମେରିକା ଗସ୍ତରେ ଯାଉଛନ୍ତି। ତାଙ୍କ ସମ୍ମାନାର୍ଥେ ବାଇଡେନ୍‌ ଓ ଆମେରିକାର ପ୍ରଥମ ମହିଳା ଜିଲ୍‌ ୨୨ରେ ଷ୍ଟେଟ୍‌ ଡିନରର ଆୟୋଜନ କରିଛନ୍ତି। ସେହିଦିନ ମୋଦି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ।

Share