ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ରହିଛି ସମର୍ଥନ…

ଓ୍ବାଶିଂଟନ,୨୫।୯: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଜୋ ବାଇଡେନଙ୍କ ସମର୍ଥନ ରହିଛି। ଏନେଇ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଏନେଇ ସୂଚନା ଦେଇଛନ୍ତି। ବାଇଡେନ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ଚାହୁଁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଠକ ପରେ ସେ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

ଦୁଇ ନେତା ସ୍ବୀକାର କରିଛନ୍ତି ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ସହଭାଗୀ ରଣନୈତିକ ସ୍ବାର୍ଥ ପାଇଁ ଏକ ପ୍ରତିବଦ୍ଧତା ମଧ୍ୟରେ ଦୁଇ ଦେଶ ମଧ୍ୟରେ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରଶିପ ସୁଦୃଢ଼ ହେବାର ଆବଶ୍ୟକତା ରହିଛି। ଭାରତ ବହୁ ଥର ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ରହିଆସିଛି।

ସେଥିମଧ୍ୟରେ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୮୭୭-୭୮, ୧୯୮୪-୮୫, ୧୯୯୧-୯୨ ଏଭଳି ମୋଟ ୭ ଥର ଭାରତ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ଭାବେ ରହିଆସିଛି। ୨୦୧୧-୧୨ ରେ ମଧ୍ୟ ଭାରତ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ହୋଇପାରିଛି। ୟୁଏନଏସସିରେ ୧୫ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୦ ଜଣ ଅସ୍ଥାୟୀ ଏବଂ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଟନ୍ତି।

୧୯୩ ସଦସ୍ୟ ବିଶିଷ୍ଟ ୟୁଏନଏସସିରେ ପ୍ରତିବର୍ଷ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘରେ ପାଞ୍ଚଜଣ ଅସ୍ଥାୟୀ ସଦସ୍ୟ ଚୟନ କରିବାକୁ ନିର୍ବାଚନ ହୋଇଥାଏ। ଏଥିସହ ପରିଷଦରେ ଚୀନ, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକା ଆଦି ପାଞ୍ଚଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି।

Share