ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ପାଲେଷ୍ଟାଇନ ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ବାଇଡେନ…

ଓ୍ବାଶିଂଟନ,୧୫।୧୦ : (୦୧) ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥାବାର୍ତ୍ତା କରିଛନ୍ତି। ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପରେ ବାଇଡେନ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ହମାସ ପାଲେଷ୍ଟାଇନ ଲୋକଙ୍କ ଅଧିକାର ତଥା ସେମାନଙ୍କର ଆତ୍ମନିର୍ଭରଶୀଳତା ପାଇଁ ଲଢୁନାହିଁ।

ନେତାନ୍ୟାହୁ ଯୁଦ୍ଧର ଅବସ୍ଥା ବିଷୟରେ ବାଇଡେନଙ୍କୁ ସୂଚନା ଦେଇଥିଲେ ଏବଂ ବାଇଡେନ ଇସ୍ରାଏଲକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବା ବିଷୟରେ ନିଶ୍ଚିତ କରିଥିଲେ। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଅପରାହ୍ନରେ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ଇସ୍ରାଏଲକୁ ସମର୍ଥନ ଜଣାଇଛନ୍ତି। ରାଷ୍ଟ୍ରପତି ବାଇଡେନ ନେତାନ୍ୟାହୁଙ୍କୁ ଆମେରିକାର ସାମରିକ ସହାୟତା ବିଷୟରେ କହିଥିଲେ। ନାଗରିକମାନେ ଖାଦ୍ୟ, ଜଳ ଏବଂ ଚିକିତ୍ସା ସହାୟତା କିପରି ପାଇପାରିବେ ସେ ନେଇ ଜାତିସଂଘ, ଇଜିପ୍ଟ, ଜୋର୍ଡାନ, ଇସ୍ରାଏଲ ସହିତ ବାଇଡେନ ଆଲୋଚନା କରିଥିଲେ। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ ପାଇଁ ବାଇଡେନ ତାଙ୍କର ସମର୍ଥନକୁ ନିଶ୍ଚିତ କରିଛନ୍ତି।

ସାଧାରଣ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ କିପରି ପ୍ରୟାସ କରାଯାଉଛି ସେ ସମ୍ପର୍କରେ ପାଲେଷ୍ଟାଇନ ରାଷ୍ଟ୍ରପତି ଅବ୍ବାସ ଆମେରିକାର ରାଷ୍ଟ୍ରପତିଙ୍କୁ କହିଛନ୍ତି । ମାନବିକ ସହାୟତା କାର୍ଯ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତି। ମିଳିତ ଜାତିସଂଘ, ଇଜିପ୍ଟ, ଜୋର୍ଡାନ ଏବଂ ଇସ୍ରାଏଲର ସହଯୋଗରେ କରାଯାଉଥିବା କାର୍ଯ୍ୟ ବିଷୟରେ ଆମେରିକା ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛି। ଏହି ବିବାଦ ରୋକିବା ପାଇଁ ବାଇଡେନ ଉଭୟ ଦେଶର ନେତାଙ୍କୁ କହିଥିଲେ। ଇସ୍ରାଏଲ ଗାଜା ଷ୍ଟ୍ରିପରେ ନିଜର ସୈନ୍ୟ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଆମେରିକା ବିଭିନ୍ନ ଦେଶ ସହ କଥାବାର୍ତ୍ତା ଜାରି ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି।

Share