କରୋନା ରୋକିବାକୁ ବାଇଡେନ୍‌ଙ୍କ ନୂଆ ପ୍ରୟାସ

ୱାଶିଂଟନ,୨୫ ।୧: କରୋନା ମହାମାରୀ ଏବେବି ଆମେରିକାରେ ଥମିବାର ନାଁ ନେଉନାହିଁ । ସଂକ୍ରମଣ ସଂଖ୍ୟାରେ ବେଳକୁ ବେଳେ ବୃଦ୍ଧି ହେଉଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏହାକୁ ରୋକିବାକୁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ବିଦେଶୀଙ୍କୁ ଏବେ ଆମେରିକାରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି ବାଇଡେନ୍ । ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଓ ଏହାର ବୃଦ୍ଧିକୁ ଦେଖି ବାଇଡେନ ଏଭଳି ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି । ଆମେରିକାର ପବ୍ଲିକ ହେଲ୍‌ଥ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବ୍ରାଜିଲ, ଆୟରଲ୍ୟାଣ୍ଡ ଓ ବ୍ରିଟେନ ସମେତ ୟୁରୋପର ୨୬ ଦେଶରୁ ଆସୁଥିବା ବିଦେଶୀଙ୍କୁ ଦେଶ ଭିତରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି । ସିଡିସିର ପ୍ରିନ୍ସପାଲ ଡେପୁଟି ଡାଇରେକ୍ଟର ଡାକ୍ତର ଏନି ସୁଚେଟ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ରାଷ୍ଟ୍ରପତି ତାଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଆଫ୍ରିକାକୁ ଯୋଡି ଦେଇଛନ୍ତି । କାରଣ ସେଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ବଢିବାରେ ଲାଗିଛି । କୁହାଯାଉଛି କି ରାଷ୍ଟ୍ରପତି ବାଇଡେନ୍ ଆମେରିକାବାସୀଙ୍କୁ କରୋନାର ନୂଆ ଷ୍ଟ୍ରେନ୍‌ଠାରୁ ଦୂରେଇ ରଖିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ।

Share