ମେକ୍ସିକୋ ସିଟି,୧୧ା୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋ ମଙ୍ଗଳବାର ମେକ୍ସିକୋରେ ପହଞ୍ଚତ୍ଛନ୍ତି। ମେକ୍ସିକୋ ସହ ଦୁଇ ରାଷ୍ଟ୍ରର ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେମାନେ ସେଠାକାର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ ଓବ୍ରାଡରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ତ୍ରିପାକ୍ଷିକ ଆଲୋଚନାକୁ ‘ଥ୍ରୀ ଏମିଗୋଜ୍’ ବା ‘ତିନି ବନ୍ଧୁ’ ସମ୍ମିଳନୀ ରୂପେ ନାମକରଣ କରାଯାଇଛି।
ରାଷ୍ଟ୍ରପତି ଓବ୍ରାଡର ତାଙ୍କ ଦୁଇ ବନ୍ଧୁ ବାଇଡେନ୍ ଓ ଟ୍ରୁଡୋଙ୍କୁ ଆପ୍ୟାୟିତ କରିଛନ୍ତି। ବାଣିଜି୍ୟକ ଉତ୍ତେଜନାକୁ ଏଡ଼ାଇ ଆର୍ଥିକ ସହଭାଗିତା କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ୩ ନେତାଙ୍କ ମଧ୍ୟରେ କଥାବର୍ତ୍ତା ହୋଇଛି। ସେହିପରି ଡ୍ରଗ୍ସ ଚାଲାଣ, ସୁରକ୍ଷା ଓ ପ୍ରବାସୀ ଶରଣାର୍ଥୀ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଏସିଆଭିତ୍ତିକ ଉତ୍ପାଦନକାରୀମାନଙ୍କ ଉପରେ ନିଜ ନିର୍ଭରଶୀଳତା ହ୍ରାସ ସକାଶେ ମେକ୍ସିକୋ ଓ୍ବାଶିଂଟନର ଉଦ୍ୟମରୁ ସୁଫଳ ମିଳିବା ନେଇ ଆଶାବାଦୀ।