ଚେତାବନୀ ଦେଲେ ବାଇଡେନ

ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେରିକାର ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ନାଁ ନ ନେଇ ସେ ଏହି ଆକ୍ରମଣ ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି।
ଗଣତନ୍ତ୍ର ତଥା ରାଜନୈତିକ ହିଂସା ପ୍ରତି ବିପଦ ସମ୍ପର୍କରେ ବାଇଡେନ କହିଛନ୍ତି, ଡେମୋକ୍ରାଟ୍‌, ରିପବ୍ଲିକାନ୍ସ ଅଧିକାରୀଙ୍କ ପ୍ରତି ହେଉଥିବା ହିଂସା ଶକ୍ତି ଏବଂ ଲାଭ ପାଇଁ କୁହାଯାଇଥିବା ମିଥ୍ୟାର ଫଳାଫଳ। ଏହି ମୁହୂର୍ତ୍ତରେ ଆମକୁ ସେହି ମିଥ୍ୟାକୁ ସାମ୍ନା କରିବାକୁ ପଡିବ, ଆମ ଦେଶର ଭବିଷ୍ୟତ ଏହା ଉପରେ ନିର୍ଭର କରେ। ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସମ୍ମୁଖୀନ ହେଉଛୁ। ଆମେ ସମସ୍ତେ ଏକ ହୋଇ ଏଭଳି ରାଜନୈତିକ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିବା। ହିଂସାକାରୀଙ୍କୁ ଉପଯୁକ୍ତ ଜବାବ ଦେବା।
ବାଇଡେନ ଆହୁରି ମଧ୍ୟ କହିଛନ୍ତି,ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ୨୦୨୦ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ ଲୋକଙ୍କ ଇଚ୍ଛା ପାଳନ କରିବାକୁ ମନା କରନ୍ତି। ସେ ହାରିଯାଇଥିବା ସତ୍ୟକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

 

Share