ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବାଇଡେନଙ୍କ ନିର୍ଦ୍ଦେଶ…

ଓ୍ବାଶିଂଟନ,୧୪।୨ : ବାୟୁମଣ୍ଡଳରେ ଗୁପ୍ତଚର ବେଲୁନ ଏବଂ ସନ୍ଦେହଜନକ ଜିନିଷ ଦେଖାଯିବା ପରେ ଆମେରିକା ସରକାର ଅତ୍ୟନ୍ତ ସତର୍କ ହୋଇଯାଇଛନ୍ତି। ବିପଦକୁ ଅନୁଭବ କରି ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଙ୍କୁ ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନା ଗୁପ୍ତଚର ସଂସ୍ଥାର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ରାଷ୍ଟ୍ରପତି ଅଧିକାରୀମାନଙ୍କୁ କହିଛନ୍ତି। ଫେବୃଆରୀ ୪ ରେ ଆମେରିକାର ଯୁଦ୍ଧ ବିମାନ ଦକ୍ଷିଣ କାରୋଲିନା ଉପକୂଳରେ ଏକ ସନ୍ଦିଗ୍ଧ ଚାଇନାର ଗୁପ୍ତଚର ବେଲୁନ ଗୁଳି ଚଳାଇ ଖସାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ଚାଇନା ଅନ୍ୟ ଦେଶ ଉପରେ ମଧ୍ୟ ଗୁପ୍ତଚରୀ କରୁଥିବା ଅଭିଯୋଗ କରିଛି।

ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ରଣନୀତିକ ଯୋଗାଯୋଗର ସଂଯୋଜକ ଜନ ର୍କିବି କହିଛନ୍ତି ଯେ ଏହା ପୂର୍ବରୁ ୨୦୨୧ ମସିହାରେ ଯେତେବେଳେ ରାଷ୍ଟ୍ରପତି ବାଇଡେନ କାର୍ଯ୍ୟଭାର ସମ୍ଭାଳିଥିଲେ ସେତେବେଳେ ସେ ଆମେରିକାର ଗୁପ୍ତଚର ସଂସ୍ଥାଙ୍କୁ ଚାଇନାର ଗୁପ୍ତଚର କ୍ଷମତାର ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଆମେ ଏହା ଉପରେ କାର୍ଯ୍ୟ କରୁଥିଲୁ କିନ୍ତୁ ରାଷ୍ଟ୍ରପତି ଆମକୁ ପୁଣି ଥରେ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।

Share