ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…

ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ ହେଉଥିବା ପରି ମନେ ହେଉନାହିଁ । ତାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯାଇଛି। ଆମେରିକାର ନ୍ୟାୟ ବିଭାଗର ଚଢ଼଼ାଉ ବେଳେ ବାଇଡେନଙ୍କ ଘରୁ ଆହୁରି ୬ଟି ଗୋପନୀୟ ତଥ୍ୟ ଥିବାେ ଫାଇଲ ମିଳିଛି। ଏହାକୁ ଅଧିକାରୀମାନେ ନେଇ ଯାଇଛନ୍ତି। ଏହା ଦ୍ୱାରା ତାଙ୍କର ସମସ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ବାଇଡେନଙ୍କ ବ୍ୟକ୍ତିଗତ ଆଇନଜୀବୀ ବବ ବାଉର୍‌ ଏହା ନିଶ୍ଚିତ କରିଛନ୍ତି। ବବ ବାଉର୍‌ କହିଛନ୍ତି ଯେ ତଲାସୀ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା।

 

ନ୍ୟାୟ ବିଭାଗର ଅଧିକାରୀମାନେ ଡେଲାୱେରସ୍ଥିତ ବାଇଡେନଙ୍କ ଘରେ ଏବଂ ୱିଲମିଙ୍ଗଟନରେ ଥିବା ପୂର୍ବତନ କାର୍ଯ୍ୟାଳୟରେ ଗୁପ୍ତ ଡକ୍ୟୁମେଣ୍ଟ ଖୋଜିବା ପାଇଁ ଚଢ଼ାଉ କରିଥିଲେ। ଏହି ଗୋପନୀୟ ଦଲିଲଗୁଡ଼ିକ ବାଇଡେନ ଉପରାଷ୍ଟ୍ରପତି ଥିବା ସମୟର ବୋଲି କୁହାଯାଉଛି। ଅଭିଯୋଗ ହେଉଛି ଯେ ସେ ଏହି ପଦ ଛାଡିବା ପୂର୍ବରୁ ତାଙ୍କ ସହ ଗୋପନୀୟ ଡକ୍ୟୁମେଣ୍ଟ ନେଇଯାଇଥିଲେ।

ବାଇଡେନ କହିଛନ୍ତି ଯେ ନଭେମ୍ବରରେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ଗୋପନୀୟ ଫାଇଲ ମିଳିବା ପୂର୍ବରୁ ତାଙ୍କୁ ଜଣାଯାଇ ନଥିବାରୁ ସେ ଦୁଃଖିତ ନୁହନ୍ତି। ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ଏବଂ ଏହାର ଶୀଘ୍ର ସମାଧାନ କରିବାକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ମୁଁ ଭାବୁଛି ସେମାନେ ସେଠାରେ କିଛି ପାଇବେ ନାହିଁ। ଆଇନଜୀବୀମାନେ ମୋତେ ଯାହା କହିଛନ୍ତି ମୁଁ ତାହା ଅନୁସରଣ କରୁଛି।

ସୂଚନା ଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରୁ କିଛି ଗୁପ୍ତ ଫାଇଲ ମଧ୍ୟ ମିଳିଥିଲା। ତେବେ ଏନେଇ ଟ୍ରମ୍ପ କହିଥିଲେ ମୁଁ ଜାଣେ ଯେ ମୋତେ ସମସ୍ୟାରେ ପକାଇବା ପାଇଁ ଏସବୁ କରାଯାଇଛି ଏବଂ ଏହାର କୌଣସି ପ୍ରମାଣ ନାହିଁ। ସେ କହିଥିଲେ ଯେ ମୋର ରାଷ୍ଟ୍ରପତି ସମୟରେ ମୁଁ କିଛି ଭୁଲ କରି ନାହିଁ। ଏହା ମୋ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।

Share