ଜେଲେନସ୍କିଙ୍କୁ ବାଇଡେନ୍‌ଙ୍କ ପ୍ରତିଶ୍ରୁତି ପୁଟିନ୍‌ଙ୍କୁ ଦିଆଯିବ କଡ଼ା ଜବାବ…

ଓ୍ବାଶିଂଟନ୍‌/କାଇଭ୍‌,୧୪ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ କଡ଼ା ଜବାବ ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ଚେତାବନୀ ଦେବା ସହିତ କହିଥିଲେ ଯେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ବାହାନା ଖୋଜୁଛି। ଏହାପରେ ବାଇଡେନ୍‌ ଜେଲେନସ୍କିଙ୍କ ସହିତ କଥାହୋଇ ଏଭଳି କହିଛନ୍ତି।

ବାଇଡେନ ଏବଂ ଜେଲେନସ୍କିଙ୍କ ଆଲୋଚନା ପରେ ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ରାଷ୍ଟ୍ରପତି ବାଇଡେନ ଏହା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଉପରେ ଆମେରିକା ଉଚିତ ପଦକ୍ଷେପ ଗ୍ରହଣ କରିବ। ଅପରପକ୍ଷରେ, ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଜାରି କରାଯାଇ ସୂଚିତ କରାଯାଇଛି ଯେ ରୁଷିଆ ଆକ୍ରମଣ କଲେ ଦୁଇ ନେତା ମସ୍କୋ ବିରୋଧରେ ସମ୍ଭାବ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଉପରେ ଆଲୋଚନା କରିଛନ୍ତି।

ଆମେରିକା ଏବଂ ବ୍ରିଟେନକୁ ନେଇ ଗଠିତ ନାଟୋ ସାମରିକ ମିଳିତ ମଞ୍ଚର ଅଂଶ ନହେବା ପାଇଁ ରୁଷିଆ ୟୁକ୍ରେନକୁ ଅନୁରୋଧ କରିଛି। ପୁଟିନ କହିଛନ୍ତି ଯେ ନାଟୋ ସୀମାର ସମ୍ପ୍ରସାରଣ ଏହାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।

Share