ବନ୍ଧୁକ ରଖିବା ଅପରାଧରେ ବାଇଡେନ୍‌ଙ୍କ ପୁଅ ଦୋଷୀ

ଓ୍ବାଶିଂଟନ,୧୨ା୬:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ମଙ୍ଗଳବାର ଦୋଷୀସାବ୍ୟସ୍ତ ହୋଇଛନ୍ତି। ଓ୍ବିଲମିଙ୍ଗଟନ୍‌ ଫେଡେରାଲ କୋର୍ଟର ଜୁରୀ ତାଙ୍କୁ ସମସ୍ତ ୩ ଅଭିଯୋଗରେ ଦୋଷୀସାବ୍ୟସ୍ତ କରିଥିବାରୁ ସେ ୨୫ ବର୍ଷ ଜେଲଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ପ୍ରଥମ କାଉଣ୍ଟରେ ସେ ବନ୍ଧୁକ କିଣିବା ସମୟରେ ଡ୍ରଗ୍‌ ବ୍ୟବହାର ସମ୍ପର୍କରେ ମିଛ କହିଥିଲେ। ଏଥିପାଇଁ ତାଙ୍କୁ ୧୦ ବର୍ଷ ଜେଲ ହୋଇପାରେ। ସେହିପରି ଦ୍ୱିତୀୟ ଓ ତୃତୀୟ ଅଭିଯୋଗ ପାଇଁ ଯଥାକ୍ରମେ ୫ ଏବଂ ୧୦ ବର୍ଷ ଜେଲଦଣ୍ଡାଦେଶ ମିଳିପାରେ ବୋଲି କୁହାଯାଉଛି। ସୋମବାରଠାରୁ ୧୨ ଜଣିଆ ଜୁରୀ ବିଚାରବିମର୍ଶ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ହଣ୍ଟର ବାଇଡେନ୍‌ ୨୦୧୮ରେ ବେଆଇନ ଭାବେ କୋଲ୍ଟ କୋବ୍ରା ଡଟ୍‌ ୩୮ କାଲିବର ରିଭଲଭର କିଣି ୧୧ ଦିନ ପାଖରେ ରଖିଥିଲେ। ସେତେବେଳେ ସେ ବେଆଇନ ଭାବେ ଡ୍ରଗ୍ସ ବ୍ୟବହାର କରୁଥବା ସମ୍ପର୍କରେ ଜଣାଇବାରେ ବିଫଳ ହୋଇଥିଲେ।

Share