ଚାଇନାକୁ ବାଇଡେନ୍‌ଙ୍କ ଧମକ, ରୁଷିଆକୁ ସହାୟତା କଲେ ପରିଣାମ ହେବ ଭୟଙ୍କର…

ଓ୍ବାଶିଂଟନ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ତାଗିଦ୍‌ କରିଛନ୍ତି। ବାଇଡେନ୍‌ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ପ୍ରଶାସନକୁ କହିଛନ୍ତି ରୁଷିଆକୁ ସହାୟତା କଲେ ପରିଣାମ ଭୟଙ୍କର ହେବ। ତେଣୁ ଏଥିରୁ ଦୂରେଇ ରହିବାକୁ ସେ ଚାଇନାକୁ କହିଛନ୍ତି।

ଆମେରିକା ଚାଇନାକୁ ରୁଷିଆକୁ ସାହାଯ୍ୟ କରୁଥିବା ଅଭିଯୋଗ କରିଛି। ଆମେରିକାର ରାଷ୍ଟ୍ରପତିଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ ଜାରି ରହିଥିବା ବିଭିନ୍ନ କଟକଣା ଯୋଗୁଁ ହେଉଥିବା ରୁଷିଆର କ୍ଷତିକୁ ଚାଇନା ଭରଣା କରିବା ଉଚିତ ନୁହେଁ। ଆମେରିକା ମଧ୍ୟ ଚାଇନା ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଏହି ମର୍ମରେ ଚାଇନା କୂଟନୈତିଜ୍ଞ ଇଟାଲୀରେ ଆମେରିକାର ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିବେ। ୟୁକ୍ରେନ ସଙ୍କଟ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇପାରେ।

ଆମେରିକାର ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି ଯେ ଆମେରିକାର ଅଧିକାରୀମାନେ ବେଜିଂକୁ ଚେତାବନୀ ଦେଇଛନ୍ତି ଯେ ଯଦି ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଅଣଦେଖା କରି ରୁଷିଆକୁ ସହାୟତା ଜାରି ରୁହେ ପରିମାଣ ଭୋଗିବାକୁ ପ୍ରସ୍ତୁତ ରୁହ।

ଏହାପୂର୍ବରୁ ରୁଷିଆର ଅର୍ଥମନ୍ତ୍ରୀ ଆଣ୍ଟୋନ ସିଲୁଏନୋଭ କହିଛନ୍ତି ଯେ ୟୁଆନ ଭଣ୍ଡାରକୁ ସୀମିତ ରଖିବା ପାଇଁ ପାଶ୍ଚାତ୍ୟ ଦେଶମାନେ ଚାଇନା ଉପରେ ଚାପ ପକାଉଛନ୍ତି। ଷ୍ଟେଟ କାଉନସିଲ ଅଫ ଚାଇନା ପ୍ରିମିୟର୍‌ ଲି କେକିଆଙ୍ଗ କହିଛନ୍ତି ଯେ ରୁଷିଆ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର ଉପରେ ପ୍ରଭାବ ପକାଇବ ଏବଂ ସମସ୍ତରାଷ୍ଟ୍ରକୁ କ୍ଷତି ପହଞ୍ଚାଇବ। ରିୟା ନୋଭୋଷ୍ଟି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବରେ ବିଶ୍ୱର ଅର୍ଥନୀତି ପୂର୍ବରୁ ସଙ୍କଟ ଜନକ ରହିଛି ଏପରିସ୍ଥଳେ ଏଭଳି କଟକଣା ସ୍ଥିତି ଅଧିକ ଖରାପ ହେବ। ଏଥିରୁ କୌଣସି ପକ୍ଷର ଲାଭ ହେବ ନାହିଁ।

Share