ବର୍ଷର ଶେଷ ଦିନରେ ବଡ଼ ଦୁର୍ଘଟଣା: ୨ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ୍‌

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ,ବରଗଡ଼ ମ୍ୟୁନିସିପାଲଟି ଅଧିନ ୱାର୍ଡ ନମ୍ବର-୩ ହାଟପଦା ନିବାସୀ ବିଶ୍ୱନାଥ ସାହୁ (୪୦) ଓ ଅର୍ଜୁନ ରାଉତ(୪୭)। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ମୃତଦେହ ଜବତ କରି ବରଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପ୍ରକାଶ ଯେ, ମୃତକମାନେ ଭୋରରୁ ହୀରାକୁଦକୁ ପିକନିକ ପାଇଁ ବାହାରିଥିଲେ। ମୃତକଙ୍କ ପରିବାର ଲୋକେ ଏକ ବୋଲେରୋ ଯୋଗେ ପ୍ରଥମେ ସେଠାକୁ ଯାଇଥିଲେ। କିଛି ସମୟରେ ୨ ମୃତକ ଏକ ବାଇକ (ନମ୍ବର -ଓଡି୧୭ଏନ ୬୬୨୦) ଯୋଗେ ସେଠାକୁ ବାହାରିଥିଲେ। ମାତ୍ର ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ନମ୍ବର-ଓଆର୧୫ଏମ ୫୩୯୪) ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ବର୍ଷର ଶେଷଦିନରେ ଏହି ଦୁର୍ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।