Categories: ଜାତୀୟ

ମଣିପୁରରେ ସୁରକ୍ଷା ବାହିନୀର ବଡ କାର୍ଯ୍ୟାନୁଷ୍ଠାନ, ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ…

ଇମ୍ଫାଲ,୨୬।୬ : ମେ ୩ ତାରିଖରୁ ମଣିପୁରରେ ଘଟିଥିବା ହିଂସାକୁ ଦୁଇ ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ଅଞ୍ଚଳରୁ କ୍ରମାଗତ ଭାବରେ ହିଂସା ଖବର ମିଳୁଛି। ନିକଟରେ ଉଗ୍ରବାଦୀମାନେ ଜଣେ ମନ୍ତ୍ରୀଙ୍କ ଗୋଦାମରେ ନିଆଁ ଲଗାଇ ଦେଇଥିବା ବେଳେ କେତେକ ଅଞ୍ଚଳରେ ୨-୩ ଦିନ ଧରି ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଏହି ପ୍ରୟାସରେ ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ଉଗ୍ରବାଦୀଙ୍କ ୧୨ ବଙ୍କର ଧ୍ୱଂସ କରିଛନ୍ତି। ହିଂସା ପ୍ରଭାବିତ ଅଞ୍ଚଳରେ ଉଗ୍ରବାଦୀମାନେ ଏହି ବଙ୍କର ନିର୍ମାଣ କରିଥିଲେ। ମଣିପୁର ପୋଲିସ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ମିଳିତ ଭାବେ ତାମେନଲୋଙ୍ଗ, ପୂର୍ବ ଇମ୍ଫାଲ, ବିଷ୍ଣୁପୁର, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ କାଞ୍ଚିଂ ଜିଲାରେ ସର୍ଚ୍ଚ ଅପରେଶନ କରିଛନ୍ତି। ସାହୁମଫାଇ ଗାଁର ଧାନ କ୍ଷେତରୁ ତିନୋଟି ୫୧ ମିଲିମିଟର ମୋର୍ଟାର ସେଲ ଏବଂ ତିନୋଟି ୮୪ ମିଲିମିଟର ମୋର୍ଟାର ସେଲ ମିଳିଥିବା ପୋଲିସ ସୂଚନା ଦେଇଛି। ଏହା ସହିତ କଙ୍ଗୱାଇ ଏବଂ ଏସ କୋଟଲିୟାନ ଗ୍ରାମ ମଧ୍ୟରେ ଥିବା ଏକ ଧାନ କ୍ଷେତରେ ଏକ ଆଇଇଡି ବିସ୍ଫୋରକ ମଧ୍ୟ ଉଦ୍ଧାର କରାଯାଇଛି।

ପୋଲିସର ସୂଚନାନୁସାରେ, କର୍ଫ୍ୟୁ ଉଲ୍ଲଂଘନ, ଚୋରି ଏବଂ ଅଗ୍ନିକାଣ୍ଡ ମାମଲାରେ ୧୩୫ ଜଣଙ୍କୁ ଗିରଫ କରାଯାଇଛି। ମଣିପୁରରେ ହିଂସା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୁଳି, ୨୫୦ଟି ବିଭିନ୍ନ ପ୍ରକାରର ବୋମା ଉଦ୍ଧାର କରାଯାଇଛି। ବର୍ତ୍ତମାନ ଅନେକ କ୍ଷେତ୍ରରେ ଫ୍ଲାଗ ମାର୍ଚ ଏବଂ ସର୍ଚ୍ଚ ଅପରେଶନ ଚାଲିଛି। ପୋଲିସ କହିଛି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, କିନ୍ତୁ କେତେକ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। କେତେକ ସ୍ଥାନରେ ହିଂସା ଘଟଣା ଘଟିଛି, କିନ୍ତୁ ଅଧିକାଂଶ ଜିଲାରେ ପରିସ୍ଥିତି ସ୍ବାଭାବିକ ରବହିଛି।

ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିବାକୁ ପୋଲିସ ସାଧାରଣ ଜନତାଙ୍କୁ ମଧ୍ୟ ଅନୁରୋଧ କରିଛି। ମଣିପୁରକୁ ନେଇ ଅନେକ ପ୍ରକାରର ଗୁଜବ ପ୍ରଚାର କରାଯାଉଥିବା ପୋଲିସ କହିଛି। ଏଭଳି ପରିସ୍ଥିତିରେ ପ୍ରଥମେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ନମ୍ବରକୁ କଲ କରି କୌଣସି ଖବରର ସତ୍ୟତା ଜାଣନ୍ତୁ। ଯଦି କୌଣସି ଅସ୍ତ୍ରଶସ୍ତ୍ର ମିଳିଥାଏ, ତେବେ ତୁରନ୍ତ ସେସବୁକୁ ପୋଲିସକୁ ଫେରାଇ ଦିଅନ୍ତୁ।

Share