ସରକାରଙ୍କ ବଡ ଘୋଷଣା: ସେବାୟତଙ୍କୁ ମିଳିବ ୫ଲକ୍ଷ, ପିଲାଙ୍କୁ ୫୦ହଜାର

ଭୁବନେଶ୍ୱର,୧୨।୩(ଅସମାପିକା ସାହୁ): ପୁଣି ସରକାରଙ୍କ ବଡ ଘୋଷଣା। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ସ୍ବାସ୍ଥ୍ୟ ବୀମା ରାଶି ପରିମାଣ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ନବୀନ ସରକାର। ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ ହେବା ନେଇ ଘୋଷଣା କରିଛନ୍ତି ସରକାର। ସେବାୟତ ପରିବାରର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା କରାଯିବ । ପ୍ରତିଥର ପାଇଁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ସର୍ବାଧିକ ତିନି ଥର ପାଇଁ ଏହି ସହାୟତା ଦିଆଯିବ । ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ବାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି।

ସୂଚନା ଅନୁଯାୟୀ, ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ବାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରକ୍ତ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ।

ସେହିଭଳି ସେବାୟତ ପରିବାରର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ଯଥା NEET, JEE ଓ Civil Service Coaching ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ।
ସେବାୟତମାନଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ବାସ୍ଥ୍ୟ ବୀମା ରାଶି, କୋଚିଂ ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଯୋଗାଇ ଦେଇଛନ୍ତି।

Share