ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ମହିଳା ଓ ବାଳିକାମାନଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ନିମନ୍ତେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରିଛନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ବଢ଼ାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବଜେଟରୁ ପ୍ରତୀୟମାନ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ମହିଳାକୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ଅଧିକ ଅର୍ଥବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ପାଇଁ ସରକାରୀ ଘରୋଇ ସହଭାଗିତାରେ ଓ୍ବାର୍କିଂ ଓ୍ବମେନ୍ସ ହଷ୍ଟେଲ ନିର୍ମାଣ କରାଯିବ। ଏହା ବ୍ୟତୀତ ମହିଳାଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ। ବର୍ତ୍ତମାନର ପେ’ରୋଲ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ଚଳିତ ବର୍ଷ ମେ’ ସୁଦ୍ଧା ୦.୨୪ ନିୟୁତ ନୂଆ ମହିଳା ସଦସ୍ୟ କାର୍ଯ୍ୟକ୍ଷେତ୍ରରେ ସାମିଲ ହୋଇଛନ୍ତି, ଯାହା କି ଗତବର୍ଷ ତୁଳନାରେ ୧୨.୧ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।