ପୁଅ ଅଭିଷେକଙ୍କୁ ସାଙ୍ଗ ଭାବନ୍ତି ବିଗ୍‌ ବି

ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ ଶୋ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଛନ୍ତି। ଏଥିସହିତ ଶୋ’ରେ ବିଗ ବି’ ନିଜ ମନର କଥା ମଧ୍ୟ ପ୍ରତିଯୋଗୀଙ୍କ ଆଗରେ ଖୋଲି କୁହନ୍ତି। ଏହି କ୍ରମରେ ସେ ପୁଅ ଅଭିଷେକଙ୍କ ସହ ତାଙ୍କ ସମ୍ପର୍କ କେମିତି ରହିଛି ବୋଲି ମଧ୍ୟ କହିଥିଲେ।
କୌନ ବନେଗା କରୋଡପତି-୧୫ର ଶେଷ ପର୍ଯ୍ୟାୟରେ ଗୁଜରାଟର ଅହମ୍ମଦାବାଦରୁ ଆସିଥିବା ପ୍ରତିଯୋଗୀ କୁନାଲ ସିଂ ଡୋଡିଆ ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ ସିଟରେ ବସିବାର ସୁଯୋଗ ପାଇଛନ୍ତି। କୁନାଲ ଅହମ୍ମଦାବାଦ ପୋଲିସ ଫୋର୍ସର ଜଣେ ଯୁବ ପୋଲିସ ସବ-ଇନ୍ସପେକ୍ଟର। ଶୋ ଆରମ୍ଭରେ କୁନାଲ ଶୋ’କୁ ଆସିବା ପଛର କାରଣ କହିଥିଲେ। ସେ କହିଛନ୍ତି, ସେ ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ କିନ୍ତୁ ତାଙ୍କ ପିତା ବିଶ୍ୱାସ କରନ୍ତି ଯେ, ସେ ଜଣେ ଦାୟିତ୍ୱବାନ ପୁଅ ନୁହଁନ୍ତି କାରଣ ସେ ଘର କାମରେ ସାହାଯ୍ୟ କରନ୍ତି ନାହିଁ। ଏହା ପରେ କୁନାଲ ବିଗ ବିଙ୍କୁ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ କେମିତି ସମ୍ପର୍କ ଥିବା ପଚାରିଛନ୍ତି।
ଏହାର ଜବାବରେ ଅମିତାଭ ବଚ୍ଚନ କୁହନ୍ତି, ମୁଁ ଅଭିଷେକଙ୍କୁ ମୋର ବନ୍ଧୁ ଭାବରେ ବିବେଚନା କରେ। ମୁଁ ଅନ୍ୟ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିପାରିବି ନାହିଁ ଯେମିତି ଅଭିଷେକଙ୍କ ସହ କରେ। ଆମେ ପରସ୍ପର ସହିତ ଖୋଲା କଥା ହେଉ। ଯଦି ଆମ ମଧ୍ୟରୁ କେହି ଅସୁବିଧାରେ ପଡ଼ନ୍ତି ଏବଂ କୌଣସି ସ୍ଥାନରେ ଅଟକି ଯାଆନ୍ତି, ତେବେ ଏନେଇ ଆମେ କଥା ହେଉ।

Share