ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଦେଶରେ ଲକ୍ଡାଉନ ଜାରି କରାଯାଇଥିବା ବେଳେ କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ବାକି ସମସ୍ତ କାର୍ଯ୍ୟ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏହାଦ୍ୱାରା ବଳିଉଡ୍ ଦୁନିଆରେ ମଧ୍ୟ ବେଶ୍ ପ୍ରଭାବ ପଡିଥିଲା। ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ସବୁ ଶୁଟିଂକୁ ବନ୍ଦ କରି ଦିଆଯାଇଥିଲା। ତେବେ କିଛିଦିନ ତଳେ ମହାରାଷ୍ଟ୍ର ସରକାର ଚଳଚ୍ଚିତ୍ର, ଧାରାବାହିକ ଆଦି ଶୁଟିଂ ପାଇଁ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଏଥିରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର କଳାକାର ନ ଆସିବାକୁ କୁହାଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟଙ୍କ ଅନୁମତି ପରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ମହାରାଷ୍ଟ୍ର ସରକାର ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର କଳାକାରଙ୍କ ଉପରେ ଲଗାଇଥିବା କଟକଣାକୁ ହଟାଇ ଦେଇଛନ୍ତି। ଏବେ ଅନୁମାନ କରାଯାଉଛି କି ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିଲିଟି ଶୋ’ କୌନ ବନେଗା କରୋଡପତିର ଶୁଟିଂ ଆରମ୍ଭ କରାଯିବ। ସୂଚନାଯୋଗ୍ୟ, ପାଖାପାଖି ୧୦୦ ଦିନ ହେବ ବଲିଉଡ୍ର ସମସ୍ତ ଶୁଟିଂ ବନ୍ଦ ଥିବା ବେଳେ କଳାକାରମାନେ ସେମାନଙ୍କ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିଲେ। ଆଉ ଏବେ ଧୀରେ ଧୀରେ କଳାକାରମାନେ ଶୁଟିଂ ପାଇଁ ବାହାରକୁ ଆସିବା ଦେଖାଯାଉଛି।