Categories: ଜାତୀୟ

ୟୁପିରେ ଭାଜପାକୁ ବଡ଼ ଝଟ୍‌କା, ଅଡୁଆ ବଢାଇଲେ ସହଯୋଗୀ ଦଳ

ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି କାଉଡି ଯାତ୍ରା ମଧ୍ୟ ଅସନ୍ତୋଷର କାରଣ ପାଲଟିଛି, ଯାହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯୋଗୀ ଆଦିତ୍ୟନାଥ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି, ସମସ୍ତ ଦୋକାନ ଏବଂ ଠେଲା ମାଲିକ ସେମାନଙ୍କ ଦୋକାନ ଆଗରେ ସେମାନଙ୍କ ନାମ ଲେଖିବେ, ଯାହାଫଳରେ କାଉଡି ଯାତ୍ରା କରୁଥିବା ଲୋକମାନେ ଜାଣିପାରିବେ ଯେ ସେମାନେ କେଉଁ ଦୋକାନରୁ ସାମଗ୍ରୀ କିଣୁଛନ୍ତି। ଏହି ନାମ ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ। କେବଳ ଏତିକି ନୁହେଁ, ଦୋକାନ ମାଲିକଙ୍କୁ ନିଜର ପରିଚୟ ପ୍ରକାଶ କରିବା ମଧ୍ୟ ବାଧ୍ୟତାମୂଳକ ଅଟେ।

ଏହି ନିର୍ଦ୍ଦେଶନାମା ପରେ ବିରୋଧୀ ଯୋଗୀ ସରକାରଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ ସହଯୋଗୀ ଆରଏଲଡିର ଜୟନ୍ତ ଚୌଧୁରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆରଏଲଡି ମୁଖପାତ୍ର ଅନିଲ ଦୁବେ ଏନେଇ କହିଛନ୍ତି, କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ, କିନ୍ତୁ ଲୋକଙ୍କୁ ଦୋକାନରେ ସେମାନଙ୍କ ନାମ ଲେଖିବାକୁ ବାଧ୍ୟ କରିବାର କୌଣସି ଆବଶ୍ୟକତା ନାହିଁ।

ଆରଏଲଡି ସାଧାରଣ ସମ୍ପାଦକ ତ୍ରିଲୋକ ତ୍ୟାଗି ମଧ୍ୟ X ରେ ଅସନ୍ତୋଷ ଝାଡିଛନ୍ତି। ଏହି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରି ସେ କହିଛନ୍ତି, କ’ଣ ମଦ୍ୟପାନ କରିବା ଦ୍ୱାରା ଧର୍ମନଷ୍ଟ ହୋଇ ନ ଥାଏ? ଏହି ହିସାବରେ ଦେଖିଲେ ମଦବ୍ୟାନ କରିବା ଉଚିତ। କାଉଡି ଯାତ୍ରା ସମୟରେ ମୁସଲମାନେମାନେ ଫୁଲବର୍ଷା କରନ୍ତି।

ପଶ୍ଚିମ ଉତ୍ତରପ୍ରଦେଶରେ ଭାଜପାର କେବଳ ଗୋଟିଏ ସହଯୋଗୀ ଦଳ ଅଛି ଏବଂ ତାହା ହେଉଛି ଆରଏଲଡି। ୟୁପିି ରାଜନୀତିରେ ମୁସଲମାନ ଭୋଟରମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଭଳି ପରିସ୍ଥିତିରେ ଆରଏଲଡି ଭୟ କରୁଛି ଯେ ଏହି ନିଷ୍ପତ୍ତି ସେମାନଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଭୁଲ ଅଟେ ଏବଂ ଏହା ସେମାନଙ୍କର କ୍ଷତି କରିପାରେ। ଏହି କାରଣରୁ ଯୋଗୀ ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଆରଏଲଡିର ଏହି ବିରୋଧ ପରେ ଯୋଗୀ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବେ କି?

Share