Categories: ଜାତୀୟ

ଭାଜପା ସହ ହାତ ମିଳାଇବା ଜେଡିଏସ୍‌କୁ ପଡ଼ିଲା ମହଙ୍ଗା: ଦଳ ଛାଡିଲେ ବରିଷ୍ଠ ନେତା

ବେଙ୍ଗାଲୁରୁ,୨୪।୯: ଜନତା ଦଳ (ଧର୍ମନିରପେକ୍ଷ) ଅର୍ଥାତ୍‌ ଜେଡିଏସର କର୍ନାଟକ ଉପାଧ୍ୟକ୍ଷ ସୟଦ ଶାଫିଲ୍ଲା ସାହେବ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଶଫିଲ୍ଲା କର୍ନାଟକ ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜେଡିଏସ ଏବଂ ଭାଜପା ସହ ମିଳିତ ଥିବାରୁ ସେ ଦଳରୁ ନିଜକୁ ଦୂରେଇ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଜେଡିଏସ ଭାଜପା ସହ ହାତ ମିଳାଇବ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲା।
ସେ କହିଛନ୍ତି, ମୁଁ ଗତ ୩୦ ବର୍ଷ ଧରି ଦଳ ସହ ଜଡିତ ଥିଲି। ଏହି ସମୟ ମଧ୍ୟରେ ମୁଁ ଦଳ ସହ ସମାଜର ସେବା କରିବା ପାଇଁ କଠିନ ପରିଶ୍ରମ କରିଥିଲି। ଦଳ ଧର୍ମନିରପେକ୍ଷ ପ୍ରମାଣପତ୍ରରେ ବିଶ୍ୱାସ କରେ। ଆମେ ସର୍ବଦା ଧର୍ମନିରପେକ୍ଷତାର ନୀତିକୁ ଭୋଟର ଏବଂ ସାଧାରଣ ଜନତାଙ୍କ ନିକଟରେ ପ୍ରଚାର କରିଛୁ। ବର୍ତ୍ତମାନ ଯଦି ମୋର ଦଳ ସମ୍ପ୍ରଦାୟ ଏବଂ ଜାତି ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ଏକ ଦଳ ସହିତ ହାତ ମିଳାଉଛି ଏଭଳି ପରିସ୍ଥିତିରେ ମୋର ଇସ୍ତଫା ଦେବା ଠିକ ହେବ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଜେଡିଏସ ଗତ ଶୁକ୍ରବାର କର୍ନାଟକରେ ଭାଜପା ସହ ମେଣ୍ଟ ଘୋଷଣା କରିଛି ଏବଂ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏନଡିଏରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛି।

Share