ରାଜଧାନୀରେ ବଡ଼ ବେପାର: ଅଧକୋଟିର ବ୍ରାଉନସୁଗାର, ୩୫ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୫।୭(ବ୍ୟୁରୋ): କୋଲକାତାରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର। ଜଳେଶ୍ୱରରେ ଏକାଧିକ ଚୋରା ଚାଲାଣକାରୀ ରହିଥିବାବେଳେ ଏମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ ହେଉଛି। ଶହୀଦନଗର ଥାନାଞ୍ଚଳରେ ଏକ ଦମ୍ପତି ବ୍ରାଉନସୁଗାର କାରବାର କରୁଥିବା ଖବର ପାଇବା ପରେ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ଶହୀଦନଗର ପୋଲିସର ମିଳିତ ଟିମ୍‌ ମଙ୍ଗଳବାର ରାତିରେ କେଶୁରାସ୍ଥିତ ଏକ ଘରେ ଚଢ଼ାଉ କରି ବଡ଼ ର଼୍ୟାକେଟକୁ ଧରିଛି। ସେଠାରୁ ପୋଲିସ ୫୫୦ ଗ୍ରାମର ବ୍ରାଉନସୁଗାର, ନଗଦ ୩୪ଲକ୍ଷ ୮୦ହଜାର ଟଙ୍କା, ଏକ କାର, ୨ ବାଇକ ଓ ୬ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱରର ବିଶ୍ୱରଞ୍ଜନ ରାଉଳ ଓରଫ ମଣ୍ଟୁ(୨୩) ଓ ଖୋର୍ଦ୍ଧା ନିରାକାରପୁରର ପିଙ୍କି ଦାସ(୨୮)। ଅନ୍ୟପକ୍ଷେ ର଼୍ୟାକେଟ ମୁଖ୍ୟ ତଥା ଅଭିଯୁକ୍ତ ପିଙ୍କିଙ୍କ ସ୍ବାମୀ ଶମ୍ଭୁନାଥ ବାରିକ ଓରଫ ପପୁ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିବା ସହ ର଼୍ୟାକେଟର ଅଧିକ ଖୋଳତାଡ଼ କରୁଛି। ଜବତ ବ୍ରାଉନସୁଗାର ମୂଲ୍ୟ ଅଧକୋଟିରୁ ଅଧିକ ହେବ।
ପିଙ୍କି ଓ ଶମ୍ଭୁନାଥ କେଶୁରା ଅଞ୍ଚଳରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ରହିବା ସହ ସେଠାରେ ବ୍ରାଉନ୍‌ସୁଗାର ବେପାର କରୁଥିଲେ। ଅଭିଯୁକ୍ତ ମଣ୍ଟୁ ଜଳେଶ୍ୱରର ବ୍ୟବସାୟୀଙ୍କଠାରୁ ବ୍ରାଉନ୍‌ସୁଗାର ଆଣି ଉକ୍ତ ଦମ୍ପତିଙ୍କୁ ଯୋଗାଉଥିଲେ। ସେମାନେ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଛୋଟ ଛୋଟ ପ୍ୟାକେଟ୍‌ କରି ବିକୁଥିଲେ। ତେବେ ପୋଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଘରେ ଷ୍ଟକ୍‌ ରଖିଥିବା ବ୍ରାଉନ୍‌ସୁଗାରକୁ ପାଇଖାନାରେ ଢାଳିବା ସହ ପୋଡ଼ି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ କବାଟ ଭାଙ୍ଗି ପଶିଯିବା ସହ ସେସବୁକୁ ଜବତ କରିଥିଲା ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରୁ ବ୍ରାଉନସୁଗାର ସହ ଏତେ ପରିମାଣର ଟଙ୍କା ମିଳିବା ଅଭୂତପୂର୍ବ। ଏହା ପଛରେ କିଛି ବଡ଼ ଆପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏତେ ଟଙ୍କା କେଉଁଠାରୁ ଆସିଛି ତାହାର ମଧ୍ୟ ତଦନ୍ତ କରାଯିବ। କୋଲକାତାରୁ ଜଳେଶ୍ୱର ଦେଇ କଟକ-ଭୁବନେଶ୍ୱରକୁ ବିପୁଳ ପରିମାଣର ବ୍ରାଉନସୁଗାର ଆସୁଛି। ଗତ ୪ମାସ ମଧ୍ୟରେ କମିଶନରେଟ୍‌ ପୋଲିସ ଦ୍ୱୈତ ନଗରୀରୁ ୫ କିଗ୍ରା ୧୦୦ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ସେ କହିଛନ୍ତି।

Share