ବିଜେଡିରେ ବଡ଼ ପରିବର୍ତ୍ତନ: ଏବେ ସାମ୍ନାକୁ ଆସି ଭାଜପାକୁ କଡ଼ା ଜବାବ ଦେଉଛନ୍ତି ବଡ଼ ନେତା

ଭୁବନେଶ୍ୱର,୨୭।୬: ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ବିଜେଡି ବଡ଼ ପରିବର୍ତ୍ତନ ଆଣୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ନେତ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ମୁଖପାତ୍ରଙ୍କୁ ସବୁଠି ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ବିଜେଡିରେ ବଡ ପରିବର୍ତ୍ତନ ହେଲା ଭଳି ମନେ ହେଉଛି । ଆଉ ସେ ପରିବର୍ତ୍ତନ ହେଲା, ବଡ ବଡ ଅନୁଭବି ନେତାଙ୍କୁ ଏବେ ସାମ୍ନାକୁ ଆଣୁଛି । ତେବେ ପ୍ରସଙ୍ଗ ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏବେ ଅଭିଜ୍ଞ ଓ ବରିଷ୍ଠ ନେତା ହିଁ ସରକାରଙ୍କୁ କାଉଣ୍ଟର କରିବେ ବୋଲି କୁହାଯାଉଛି ।

ଗୁରୁବାର ବିଜେଡିର ଖବରଦାତା ସମ୍ମିଳନୀରେ ମହାନଦୀ ପ୍ରସଙ୍ଗରେ ଭାଜପାକୁ କଡ଼ା ଜବାବ ଦେଇଛି ବିଜେଡି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ ଦେବ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବରିଷ୍ଠ ନେତା ଦେବୀ ପ୍ରସାଦ କହିଛନ୍ତି, ମହାନଦୀ ଓଡ଼ିଶାର ୧୬ ଜିଲାର ଲୋକଙ୍କ ଜୀବନଧାରା। ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି। ହୀରାକୁଦର ଉପମୁଣ୍ଡରେ ଛତିଶଗଡ ଓ ତଳମୁଣ୍ଡରେ ଓଡ଼ିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି। ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛି।

ବିଜେଡି ନେତା ଆହୁରି କହିଛନ୍ତି ଯେ, ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟସିଙ୍କ ନିକଟରେ ବାରମ୍ବାର ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା। ସେତେବେଳେ ଓଡ଼ିଶାର ସ୍ବାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ କେନ୍ଦ୍ର ସରକାର।

ମହାନଦୀ ପାଇଁ ଓଡ଼ିଶା ନ୍ୟାୟିକ ଲଢେଇ ଲଢିଛି, ରାଜରାସ୍ତାରେ ସଂଗ୍ରାମ କରିଛି, ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି। ହେଲେ କେନ୍ଦ୍ର ନୀରବଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡରେ ଥିବା ଭାଜପା ସରକାରକୁ ସୁହାଇଲା ଭଳି କାର୍ଯ୍ୟକରିଥିଲା। ତେଣୁ ମହାନଦୀକୁ ନେଇ ଓଡ଼ିଶା ସରକାର କିଛି କରିନଥିଲେ। ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ଭାଜପା ସରକାର ଉଦ୍ୟମ କରିବା ଦରକାର। ମହାନଦୀ ପ୍ରସଙ୍ଗରେ ବିଜେଡି ସଂପୂର୍ଣ୍ଣ ସଚେତନ ରହିଛି। ଆଉ ମହାନଦୀ ଅବବାହିକା ଅଧିବାସୀଙ୍କ ସ୍ବାର୍ଥ ହାସଲ ପାଇଁ ବିଜେଡି ସଂପୂର୍ଣ୍ଣ ସଜାଗ ରହିଛି ବୋଲି ମିଶ୍ର କହିଛନ୍ତି।

Share