Categories: ଖେଳ

ଆଇସିସି ନିୟମରେ ବଡ଼ ପରିବର୍ତ୍ତନ

ଦୁବାଇ,୧୬।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌ (ଆଇସିସି) ପକ୍ଷରୁ ଏହାର କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କୌଣସି କ୍ୟାଚ୍‌ର ନିଷ୍ପତ୍ତି ଟିଭି ଅମ୍ପାୟରଙ୍କୁ ରେଫର କରିବା ପୂର୍ବରୁ ଅନ୍ୟ ଫିଲ୍ଡ ଅମ୍ପାୟର ଆଉଟ ବା ନଟ୍‌ ଆଉଟର ସଫ୍ଟ ସିଗ୍‌ନାଲ ଦେଇଥାନ୍ତି। ଯେତେବେଳେ ଫୁଟେଜ୍‌ରେ ସ୍ପଷ୍ଟ ପ୍ରମାଣ ମିଳି ନ ଥାଏ ସେ ସମୟରେ ସଫ୍ଟ ସିଗ୍‌ନାଲ ଆଧାରରେ ହିଁ ଟିଭି ଅମ୍ପାୟର ନିଷ୍ପତ୍ତି ନେଇଥାନ୍ତି। ଅନେକ ସମୟରେ ଖାଲି ଆଖିରେ ଅମ୍ପାୟରଙ୍କୁ ମଧ୍ୟ ସ୍ପଷ୍ଟ ଜଣା ପଡ଼ି ନ ଥାଏ। ଏପରିକି ଖେଳାଳିମାନେ ଭୁଲ୍‌ରେ ନିଜ ଉଇକେଟ ହରାଉଥିବା କାରଣରୁ ଏହି ନିୟମକୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରୁଥିଲେ। ଆଇସିସିର କ୍ରିକେଟ ଏକ୍ଜିକ୍ୟୁଟିଭ୍‌ କମିଟି(ସିଇସି) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ସଫ୍ଟ ସିଗ୍‌ନାଲକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଷ ଓ ମହିଳା କ୍ରିକେଟ କମିଟି ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ପରାମର୍ଶକୁ ସିଇସି ପକ୍ଷରୁ ମଞ୍ଜୁରୀ ମିଳିବା ସହିତ ସଫ୍ଟ ସିଗ୍‌ନାଲ ନିୟମକୁ ହଟାଇ ଦିଆଯାଇଛି। ସଫ୍ଟ ସିଗ୍‌ନାଲ ହଟିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି। ବିଗତ କିଛି ବର୍ଷ ଧରି ଏହି ନିୟମକୁ ହଟାଇବା ପାଇଁ ଆଲୋଚନା ହେଉଥିଲା। ଟିଭି ରିପ୍ଲେରେ ସ୍ପଷ୍ଟ ହେଉ ନ ଥିଲେ ଅମ୍ପାୟରଙ୍କ ସଫ୍ଟ ସିଗ୍‌ନାଲ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ, ତେଣୁ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଲୁ ବୋଲି ସେ କହିଛନ୍ତି। ଏହାସହିତ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କିଛି ସ୍ଥାନରେ ହେଲ୍‌ମେଟ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଦ୍ରୁତ ବୋଲରଙ୍କୁ ଖେଳୁଥିବା ସମୟରେ ବ୍ୟାଟର, ଉଇକେଟ ପାଖରେ କିପିଂ କରୁଥିବା ଉଇକେଟ୍‌କିପର ଓ ବ୍ୟାଟରଙ୍କ କ୍ଳୋଜ୍‌ ରେଞ୍ଜ୍‌ରେ ଫିଲ୍ଡିଂ କରୁଥିବା ଖେଳାଳିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି।
ନୂତନ ଫ୍ରି ହିଟ୍‌ ନିୟମ: ଫ୍ରି ହିଟ୍‌ ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫ୍ରି ହିଟ୍‌ ବଲ୍‌ ଯଦି ଷ୍ଟମ୍ପରେ ବାଜୁଥିଲା ଏଥିରେ ରନ୍‌ ସଂଗ୍ରହ କରି ହେଉ ନ ଥିଲା। ତେବେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି। ଏଣିକି ଫ୍ରି ହିଟ୍‌ ବଲରେ ଖେଳାଳି ବୋଲ୍ଡ ହୋଇଥିଲେ ମଧ୍ୟ ରନ୍‌ ସଂଗ୍ରହ କରିପାରିବେ। ଜୁନ୍‌ ୧, ୨୦୨୩ରୁ ଏହି ନୂତନ ନିୟମ ଲାଗୁ କରାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ମଧ୍ୟ ଏହି ନିୟମ ଲାଗୁ କରାଯିବ।

Share