Categories: ଖେଳ

ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ: ଏହି କ୍ରିକେଟ୍‌ର ହେଲେ ଫୁଲ୍‌ଟାଇମ କୋଚ୍‌

କଲମ୍ବୋ, ୭ା୧୦: ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ସୋମବାର ଶ୍ରୀଲଙ୍କା କ୍ରିକେଟ ଦଳର ଫୁଲ୍‌ଟାଇମ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ଟି୨୦ ବିଶ୍ୱକପ୍‌ ଶେଷ ପର୍ଯ୍ୟନ୍ତ ରହିବ। ପୂର୍ବତନ ବାମହାତୀ ଓପନର ଜୁଲାଇ ଆରମ୍ଭରୁ ଶ୍ରୀଲଙ୍କାର କାମଚଳା କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଭାରତ ଓ ଇଂଲଣ୍ଡ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ତାଙ୍କୁ ଫୁଲ୍‌ଟାଇମ୍‌ କୋଚ୍‌ ଭାବେ ନିଯୁକ୍ତି ଦେବାଲାଗି ନିଷ୍ପତ୍ତି ନେଇଥିଲା। ଜୟସୁରିୟାଙ୍କ ନେୃତ୍ୱତ୍ୱରେ ଶ୍ରୀଲଙ୍କା ୨୭ ବର୍ଷ ପରେ ଭାରତ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଦ୍ୱିପାକ୍ଷିକ ସିରିଜ ଜିତିଛି। ଦଳ ୧୦ବର୍ଷରେ ଇଂଲଣ୍ଡ ବିପକ୍ଷରେ ଏକ ଆଓ୍ବେ ଟେଷ୍ଟ ମ୍ୟାଚ ଜିତିପାରିଛି। ନିକଟରେ ଶ୍ରୀଲଙ୍କା ନିଜ ଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୨-୦ରେ ବିଜୟ ଲାଭ କରିଛି।

ଜୟସୁରିୟା କାମଚଳା କୋଚ୍‌ ଥିବା ବେଳେ ନିକଟରେ ଅନୁଷ୍ଠିତ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟୁର୍‌ରେ ଦଳ ଭଲ ପ୍ରଦର୍ଶନ କରିଛି। ଏହାକୁ ବିଚାର କରି ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟନିର୍ବାହୀ କମିଟି ଜୟସୁରିୟାଙ୍କୁ ଦଳର କୋଚ୍‌ ଭାବେ ନିଯୁକ୍ତି ଦେଇଥିବା ଏସ୍‌ଏଲ୍‌ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଜୟସୁରିୟାଙ୍କ ନିଯୁକ୍ତି ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ ଏବଂ ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହେବ। ଜୟସୁରିୟା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି। ଅକ୍ଟୋବର ୧୩ରୁ ଦାମ୍ବୁଲାଠାରେ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ସେ ଫୁଲ୍‌ଟାଇମ କୋଚ୍‌ ଭାବେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ।

Share