ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ଏକ ଅନ୍ତରୀଣ କମିଟି ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦେଇଛି। ବ୍ୟାଙ୍କିଙ୍ଗ୍ ରେଗୁଲେଶନ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଏଥିରେ କୁହାଯାଇଛି। ସେହିଭଳି ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକରେ ପ୍ରମୋଟରଙ୍କ ଅଂଶଧନ ସୀମା ୨୬%କୁ ବଢ଼ାଇବା ନେଇ ପ୍ରସ୍ତାବରେ କୁହାଯାଇଛି। ଏହାବାଦ ଘରୋଇ ବଜାରରେ ରହିଥିବା ବଡ଼ ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡିକୁ ବ୍ୟାଙ୍କରେ ରୂପାନ୍ତରିତ କରିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ମାନିକାନା ଏବଂ କର୍ପୋରେଟ ଢାଞ୍ଚାର ତର୍ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜୁନ ୧୨ରେ ଏକ ଆନ୍ତଃ ଓ୍ବାର୍କିଂ ଗ୍ରୁପ୍ (ଆଇଡବ୍ଲ୍ୟୁଜି) ଗଠନ କରାଯାଇଥିଲା। ସେହିଭଳି ଏନ୍ବିଏଫ୍ସିଗୁଡିକର ସମ୍ପତ୍ତି ମୂଲ୍ୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଥିଲେ ସେଗୁଡିକୁ ବ୍ୟାଙ୍କରେ ରୂପାନ୍ତରିତ କରିବା ଭଳି ଅନ୍ୟାନ୍ୟ ପ୍ରସ୍ତାବ ସାମିଲ ରହିଛି।