ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଜୁଲାଇ ୧୯ରେ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା। ଏହି ଗବେଷଣା ଭେଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) ଦ୍ୱାରା କରାଯିବ। ଏଥିରେ ୩୦୦ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ। ଏହି ଗବେଷଣା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ଠାରୁ ଭିନ୍ନ ହେବ।
ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ କରୋନା ବିରୋଧରେ ବେଶ୍‌ ପ୍ରଭାବଶାଳୀ ବୋଲି ଏନେଇ ପୂର୍ବରୁ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଆଇସିଏମଆର ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ ଦେବା ଦ୍ୱାରା ଶରୀରରେ କରୋନା ମହାମାରୀ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ। ଅଧ୍ୟୟନରେ ୯୮ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରୁ ୪୦ ଜଣଙ୍କୁ କୋଭିଶିଲ୍ଡର ଉଭୟ ଡୋଜ ଏବଂ ୪୦ ଜଣଙ୍କୁ କୋଭାକ୍ସିନର ଉଭୟ ଡୋଜ୍‌ ଦିଆଯାଇଥିଲା। ଅପରପକ୍ଷରେ ୧୮ ଜଣଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ ଏବଂ କୋଭାକସିନର ଦ୍ୱିତୀୟ ଡୋଜ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଏବଂ ୭ ଜଣ ମହିଳା ଥିଲେ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଟିକା ପରୀକ୍ଷାରୁ ସୁଫଳ ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଟିକାର ଡୋଜ୍‌ ସୁରକ୍ଷିତ ଏବଂ ଏହାକୁ ନେଲେ ଶରୀରରେ କରୋନା ମହାମାରୀ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।
ଗବେଷଣାର ଅନ୍ତିମ ରିପୋର୍ଟର ଫଳାଫଳ ଭଲ ମିଳିଲେ, ସରକାର କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ପ୍ରଦାନକୁ ମଞ୍ଜୁରୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

Share