କୋଭିଡ୍‌ ସଙ୍କଟ କେନ୍ଦ୍ରର ବଡ଼ ବିଫଳତା

ନୂଆଦିଲ୍ଲୀ, ୩୦।୫(ଆଇଏଏନ୍‌ଏସ୍‌): କୋଭିଡ୍‌ ସଙ୍କଟ ନରେନ୍ଦ୍ର ମୋଦଙ୍କ ଦ୍ୱିତୀୟ ପାଳି ସରକାରର ସବୁଠୁ ବଡ଼ ବିଫଳତା ବୋଲି ଏକ ସର୍ଭେରେ କୁହାଯାଇଛି। ମୋଦିଙ୍କ ୭ ବର୍ଷର ଶାସନରେ ପ୍ରଥମ ଥର ପାଇଁ ଅନୁମୋଦନ ରେଟିଂରେ ନାଲି ଗାର ଅତିକ୍ରମ କରିଛି। ଏବିପି-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ମୋଦି-୨.୦ ରିପୋର୍ଟ କାର୍ଡରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସରକାରଙ୍କର ସବୁଠୁ ବଡ଼ ସଫଳତା ବୋଲି ଭୋଟରମାନେ ମତ ଦେଇଥିବାବେଳେ କରୋନା ସଙ୍କଟକୁ ଉପଯୁକ୍ତ ଭାବେ ପରିଚାଳନା କରି ନ ପାରିବା ସବୁଠୁ ବିଫଳତା ବୋଲି କହିଛନ୍ତି। ମୋଟ ୫୪୩ ଲୋକ ସଭା କ୍ଷେତ୍ରର ୧.୩୯ ଲକ୍ଷ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଜାନୁୟାରୀ ୧ରୁ ମେ’ ୨୮ ମଧ୍ୟରେ ଏହି ସର୍ଭେ ହୋଇଥିବା କୁହାଯାଇଛି।
ସର୍ଭେ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ଭୋଟରମାନେ ମୋଦି ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଗତ ୭ ବର୍ଷରେ ସରକାର ଯେଉଁ ଉଚ୍ଚ ଲୋକପ୍ରିୟତା ରେଟିଂ ହାସଲ କରିଥିଲେ, ଏବେ ତାହା ନଷ୍ଟ ହୋଇଯାଇଛି। ସର୍ଭେରେ ୪୭.୪ ପ୍ରତିଶତ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସରକାରଙ୍କ ବଡ଼ ସଫଳତା କହିଥିବାବେଳେ ୪୧.୧% କରୋନା ସଙ୍କଟ ପରିଚାଳନାକୁ ବଡ଼ ବିଫଳତା କହିଛନ୍ତି। ନୂଆ କୃଷି ଆଇନ ମୋଦି ସରକାରଙ୍କ ଦ୍ୱିତୀୟ ବଡ଼ ବିଫଳତା ବୋଲି ୨୩.୧ ପ୍ରତିଶତ କହିବା ସହ ଉକ୍ତ ଆଇନକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ରହିଥିବା ମତ ଦେଇଛନ୍ତି। ଲକ୍‌ଡାଉନ ବେଳେ ସରକାରଙ୍କ ସହାୟତା ସେମାନଙ୍କ ପାଖରେ ପହଞ୍ଚତ୍ ନ ଥିବା ୫୨.୩ ପ୍ରତିଶତ କହିବା ସହ ଏଥିପାଇଁ ସେମାନେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି।
ମହାମାରୀର ଦ୍ୱିତୀୟ ଲହର ବେଳେ ନିର୍ବାଚନ ପ୍ରଚାରକୁ ନେଇ ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଭାଗ ନେଇ ବିଭିନ୍ନ ରାଲିକୁ ସମ୍ବୋଧନ କରିବା ଭୁଲ୍‌ ଥିଲା ବୋଲି ୫୯.୭ ପ୍ରତିଶତ ମତ ଦେଇଛନ୍ତି। କେନ୍ଦ୍ର ଉପରେ ଭୋଟର କ୍ଷୁବ୍ଧ ଥାଇପାରନ୍ତି, ତଥାପି ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାହାନ୍ତି ନାହିଁ ବୋଲି ସର୍ଭେରେ କୁହାଯାଇଛି। ସେହିପରି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବା ଉଚିତ ହୋଇଥାନ୍ତା ବୋଲି ୬୦.୮ ପ୍ରତିଶତ ଭୋଟର ଚିନ୍ତାବ୍ୟକ୍ତ କରିଛନ୍ତି। ମହାମାରୀକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ କରାଯିବାର ଥିଲା ବୋଲି ୫୫.୩ ପ୍ରତିଶତ ମତ ଦେଇଛନ୍ତି।
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ୪୭ ପ୍ରତିଶତ ଭୋଟର କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ମୋଦି ସରକାରଙ୍କ କାର୍ଯ୍ୟରୁ ବୃହତ୍‌ କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ସର୍ବାଧିକ ଆର୍ଥିକ ଫାଇଦା ଉଠାଉଥିବା ୬୪.୪ ପ୍ରତିଶତ ମତ ଦେଇଛନ୍ତି। ଲଦାଖ ଅଞ୍ଚଳରେ ଚାଇନାର ପ୍ରବେଶ ସରକାରଙ୍କ ବିଫଳତା ବୋଲି ୪୪.୮ ପ୍ରତିଶତ କହିଛନ୍ତି। ସରକାରଙ୍କ କଶ୍ମୀର ପରିଚାଳନାରେ ଭୋଟରମାନେ ଖୁସିବ୍ୟକ୍ତ କରିଥିବାବେଳେ ଚାଷୀମାନଙ୍କ ଦାବି ପୂରଣ ହେବା ଆବଶ୍ୟକ ବୋଲି ଅନୁଭବ କରିଛନ୍ତି।

Share