ମୁମ୍ବାଇ: ‘ବିଗ୍ ବସ୍-୧୩’ ପରଠାରୁ ଶେହନାଜ ଗିଲ୍ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ ଅଫର ଆସୁଛି। ଶେହନାଜ ସଲମାନ ଖାନ୍ଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ସହିତ ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କ ହାତରେ ଏକ ବଡ଼ ଫିଲ୍ମ ଅଫର ଅଛି ବୋଲି ଶୁଣିବାକୁ ମିଳୁଛି।
ଶେହନାଜଙ୍କୁ ନିର୍ମାତା ନିଖିଲ ଆଡଭାନୀଙ୍କ ନୂଆ ଫିଲ୍ମରେ ଦେଖିବାକୁ ମିଳିବ। କୁହାଯାଉଛି, ଫିଲ୍ମର କାହାଣୀ ୫ ଜଣ ମହିଳାଙ୍କ ଉପରେ ଆଧାରିତ। ଯେଉଁଥିରେ ବାଣୀ କପୁର ମଧ୍ୟ ନଜର ଆସିବେ। ଗତ ବର୍ଷ ଏହି ମହିଳା-ଆଧାରିତ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା କିନ୍ତୁ ପାଣିପାଗ ସମସ୍ୟା ହେତୁ ଏହା ହୋଇପାରିଲା ନାହିଁ। ବର୍ତ୍ତମାନ ମାର୍ଚ୍ଚରୁ ଭୋପାଳରେ ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।
ଶେହନାଜ ମଧ୍ୟ ତାଙ୍କ ଚରିତ୍ର ପାଇଁ କଠିନ ପରିଶ୍ରମ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ମିତ୍ରକ୍ଷରା କୁମାର। ସେ ବର୍ତ୍ତମାନ ସଞ୍ଜୟ ଲୀଲା ଭଁସାଲୀଙ୍କ ଓ୍ବେବ୍ ସିରିଜ ‘ହୀରାମଣ୍ଡି’ରେ ବ୍ୟସ୍ତ ଅଛନ୍ତି। ଏହାପୂର୍ବରୁ ମିତାକ୍ଷରା ସଞ୍ଜୟ ଲୀଲା ଭଁସାଲୀଙ୍କୁ ‘ବାଜିରାଓ ମସ୍ତାନୀ’ ଏବଂ ‘ପଦ୍ମାବତ୍’ରେ ସହାୟତା କରିଛନ୍ତି।