ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିବା ମାଷ୍ଟରମାଇଣ୍ଡ୍ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ଆଲିଗଡରୁ ଗିରଫ କରିଛି। ସେ ହେଲେ ବି.ଟେକ ପଢୁଆ ଯୁବକ ଜାଫର ଅହମ୍ମଦ (୨୫)। ଇଓଡବ୍ଲ୍ୟୁ ଏକ ମାମଲା (ନଂ.୧୭/୨୦୨୨) ରୁଜୁ କରି ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣି ପଚରାଉଚରା କରୁଛି ଇଓଡବ୍ଲ୍ୟୁ। ଅନ୍ୟ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ଜାଫର ନକଲି ସରକାରୀ ୱେବ୍ସାଇଟ୍ ଖୋଲି ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା, ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଜରିଆରେ ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ଟଙ୍କା ଠକିନେଇଥିବା ଜଣାପଡିଛି। ଦେଶରେ ଏହା ସବୁଠୁ ବଡ ନିଯୁକ୍ତି ଠକେଇ ର଼୍ୟାକେଟ ବୋଲି ଇଓଡବ୍ଲ୍ୟୁ ଡିଆଇଜି ଜୟନାରାଣୟ ପଙ୍କଜ ସୂଚନା ଦେଇଛନ୍ତି। ଏଥିସହ ଅନ୍ୟ ରାଜ୍ୟର ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଆଲର୍ଟ କରାଯାଇଛି।
ଡିଆଇଜିଙ୍କ ସୂଚନାନୁଯାୟୀ, ବି.ଟେକ୍ ପାସ୍ କରିଥିବା ପ୍ରାୟ ୩ଜଣ ବ୍ୟକ୍ତି ଓ ଜଣେ ୱେବ୍ସାଇଟ୍ ଏକ୍ସପର୍ଟଙ୍କୁ ନେଇ ଠକ ଜାଫର ଟିମ୍ କରିଥିଲେ। ଏଥିସହ ଏକ ଗ୍ରୁପ୍ ତିଆରି କରି କିଛି ପ୍ରଫେଶନାଲ ଇଞ୍ଜିନିୟର ଓ ୱେବ୍ସାଇଟ୍ ଡେଭଲପରଙ୍କ ସହାୟତାରେ ଠକେଇ ର଼୍ୟାକେଟ ଚଳାଇଥିଲେ। ଉତ୍ତରପ୍ରଦେଶ ଆଲିଗଡରୁ ହିଁ ଏହି ର଼୍ୟାକେଟ ଅପରେଶନ ହେଉଥିଲା। ପୋଲିସ ଗତିବିଧି ଟ୍ରାକ୍ କରିବା ପାଇଁ କଲ୍ ସେଣ୍ଟରରେ ଚାକାରୀ କରୁଥିବା ୫୦ ଜଣଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ଦରମା ଦେଇ ରଖିଥିଲେ। ୨୦୨୦ରୁ ଖବରକାଗଜ ଜରିଆରେ ନିଯୁକ୍ତି ବିଜ୍ଞାପନ ଦେଇ ଯୁବତୀଯୁବକଙ୍କୁ ଫସାଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ୱେବ୍ସାଇଟକୁ ପୂରା ସରକାରୀ ଢାଞ୍ଚାରେ ପ୍ରସ୍ତୁତ କରିଥିଲେ। ପ୍ରତି ଆଶାୟୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ ବାବଦକୁ ୩ ହଜାରରୁ ୫୦ ହଜାର ଟଙ୍କା ନେଉଥିଲେ। ଏଥିପାଇଁ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ନାମରେ ଫେକ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ରକୁ ଯାଇ ୧୦ ପ୍ରତିଶତ କମିଶନି ଦେଇ ଟଙ୍କା ଉଠାଉଥିଲେ। ୧oହଜାର ନକଲି ମୋବାଇଲ୍ ସିମ୍ ଓ ୫ ଶହରୁ ଅଧିକ ମୋବାଇଲ ବ୍ୟବହାର କରୁଥିଲେ। ଟ୍ରୁ କଲରରେ ନାମରେ ପରିବର୍ତ୍ତନ କରୁଥିଲେ। ଠକେଇ କରି ସାରିବାପରେ ମୋବାଇଲ ଓ ସିମ୍ଗୁଡିକୁ ଆଲିଗଡର ଏକ ନଦୀକୁ ଫିଙ୍ଗି ଦେଉଥିଲେ।