Categories: ଜାତୀୟ

ଏହି ୫ ରାଜ୍ୟରେ ଭାଜପାକୁ ବଡ଼ କ୍ଷତି

ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ କମିଶନ ସମସ୍ତ ୫୪୩ଟି ଆସନର ଟ୍ରେଣ୍ଡ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଉଛି। ୫ ରାଜ୍ୟରେ ଭାଜପାକୁ କ୍ଷତି ସହିବାକୁ ପଡିଛି।
ଉତ୍ତରପ୍ରଦେଶ
ଭାଜପା ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶରେ ହୋଇଥିବା ଜଣାପଡିଛି। ଏଠାରେ ଦଳ ୩୪ଟି ଆସନରେ ଆଗୁଆ ରହିଛି ଏବଂ ଏହା ସହ ଆରଏଲଡି ୨ଟି ଆସନରେ ଆଗୁଆ ରହିଛି। ମୋଟ ଉପରେ, ୟୁପିରେ ୩୬ଟି ସିଟ ଉପରେ ଏନଡିଏ ମିଳିତ ମେଣ୍ଟ ଆଗରେ ଥିବାବେଳେ ଅନ୍ୟପକ୍ଷରେ ୟୁପିରେ ୪୩ଟି ସିଟ ଉପରେ ଇଣ୍ଡିଆ ମିଳିତ ମେଣ୍ଟ ଆଗରେ ରହିଛି। ଏଥିମଧ୍ୟରୁ ସମାଜବାଦୀ ପାର୍ଟି ୩୪ଟି ସିଟ୍‌ରେ ଏବଂ କଂଗ୍ରେସ ୯ଟି ସିଟ୍‌ରେ ଆଗରେ ରହିଛି। ୨୦୧୯ ନିର୍ବାଚନରେ ଏନଡିଏରେ ୟୁପିରେ ୬୪ଟି ଆସନ ଥିଲା।

ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗରେ ଭାଜପାକୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ସମସ୍ତ ଏକଜିଟ ପୋଲରେ ଦାବି କରାଯାଇଥିଲା ଯେ ଭାରତୀୟ ଜନତା ପାର୍ଟି ଏଠାରେ ସର୍ବାଧିକ ଆସନ ପାଇବ, କିନ୍ତୁ ଅପରପକ୍ଷେ, ଏଠାରେ ଭାଜପାର ସିଟ୍‌ ହ୍ରାସ ପାଉଛି। ଟ୍ରେଣ୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ୩୨ଟି ସିଟ୍‌ରେ ଆଗୁଆ ଥିବାବେଳେ ଭାଜପା ମାତ୍ର ୯ଟି ଆସନରେ ଆଗରେ ରହିଛି। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ୧୯ଟି ଆସନ ଜିତିଥିଲା।

ହରିୟାଣା

ଟ୍ରେଣ୍ଡ ଅନୁଯାୟୀ ଏପର୍ଯ୍ୟନ୍ତ ହରିୟାଣାର ୧୦ଟି ଲୋକ ସଭା ମଧ୍ୟରୁ ୫ଟିରେ ଭାଜପା ଅଗ୍ରଣୀ ଥିବାବେଳେ କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ଥିବା ୧୦ଟି ସିଟ ଜିତିଛି।

ରାଜସ୍ଥାନ

୨୦୧୪ରେ ରାଜସ୍ଥାନର ୨୫ଟି ଲୋକ ସଭା ସିଟ୍‌ ଏବଂ ୨୦୧୯ରେ ୨୪ଟି ସିଟ ଜିତିଥିବା ବିଜେପି ଏଥର ବହୁତ କ୍ଷତି ସହିଛି। ୧୪ଟି ସିଟ୍‌ରେ ଭାଜପା ଅଗ୍ରଣୀ ଥିବାବେଳେ କଂଗ୍ରେସ ୧୧ଟି ସିଟ୍‌ରେ ଆଗୁଆ ରହିଛି।

କର୍ନାଟକ

ଏଥର ମଧ୍ୟ କର୍ନାଟକରୁ ଭାଜପାର ବହୁତ ଆଶା ଥିଲା, କିନ୍ତୁ ଏଠାରେ ମଧ୍ୟ ଦଳ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡିଛି। ୨୦୧୯ ନିର୍ବାଚନରେ ଭାଜପା ଏଠାରେ ଥିବା ୨୮ ଟି ସିଟ ମଧ୍ୟରୁ ୨୫ଟି ଜିତିଛି। ଏଥର ଟ୍ରେଣ୍ଡ ଅନୁଯାୟୀ, ୧୦ଟି ଆସନରେ ଭାଜପା ଆଗରେ ରହିଛି। ଏଠାରେ କଂଗ୍ରେସ ୯ର ଅଗ୍ରଣୀ ରହିଛି।

Share