ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ ଏକ ବେପରୁଆ ମନୋଭାବ ସାମ୍ନାକୁ ଆସିଛି। ତେଲେଙ୍ଗାନାର ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲରେ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଏକ ଅଟୋରିକ୍ସାରେ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଟୋରେ କୌଣସି ହସ୍ପିଟାଲ କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲେ ଯାହାଙ୍କ ତତ୍ତ୍ୱାବଧାନରେ ମୃତଦେହର ସଂସ୍କାର କରାଯିବ। ନ୍ୟୁଜ ଏଜେନ୍ସି ଏଏନ୍ଆଇର ସୂଚନା ଅନୁଯାୟୀ, ନିଜାମାବାଦ ସରକାରୀ ହସ୍ପିଟାଲ ପ୍ରଶାସନ ଆମ୍ବୁଲାନ୍ସ ବିନା କରୋନା ସଂକ୍ରମିତଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ନାଗେଶ୍ୱର ରାଓ ସଫେଇ ଦେଇ କହିଛନ୍ତି ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ହସ୍ପିଟାଲରେ କାମ କରୁଥିବାରୁ ସେ ତାଙ୍କ ହେଫାଜତରେ ମୃତଦେହକୁ ନେଇ ଯାଇଛନ୍ତି।