Categories: ଫୁରସତ

ବଡ଼ ହଳ

ହଳକୁ କୃଷକର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଦ୍ୱାରା କ୍ଷେତକୁ ଖୋଳାଯାଇ ଚାଷ ପାଇଁ ଉପଯୋଗୀ କରାଯାଇଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ହଳ ଥିଲା ଯାହାର ଓଜନ ୩୦ ହଜାର କି.ଗ୍ରା. ଥିଲା। ପୃଥିବୀର ସବୁଠାରୁ ବଡ଼ ହଳ ଭାବେ ପରିଚିତ ଉକ୍ତ ହଳକୁ ଏବେ ବ୍ୟବହାର କରାଯାଉ ନାହିଁ। ଏହାକୁ ମ୍ୟୁଜିୟମ୍‌ରେ ସଂରକ୍ଷିତ କରି ରଖାଯାଇଛି। ‘ଓଟୋମେୟର ମାମୁଟ୍‌’ ନାମରେ ପରିଚିତ ଉକ୍ତ ହଳର କାମ ଥିଲା ଦଳ ଅଞ୍ଚଳକୁ ଉର୍ବର ଜମିରେ ରୁପାନ୍ତରିତ କରିବା। ଏହି ହଳ ୨ ମିଟର ଗଭିରତା ପର୍ଯ୍ୟନ୍ତ ମାଟି ଖୋଳିପାରୁଥିଲା। ଉତ୍ତର ଜର୍ମାନୀର ଏମ୍ସଲାଣ୍ଡ ଜିଲା ଦଳ ଭର୍ତ୍ତି ହୋଇଯାଇଥିଲା। ତେଣୁ ୧୭୦୦ ମସିହା ବେଳକୁ ଏଠାରେ କେହି ରହିବାକୁ ଚାହୁଁ ନ ଥିଲେ। ତେବେ ବିଂଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ପଶ୍ଚିମ ଜର୍ମାନୀର ସରକାର ଏହି ଅଞ୍ଚଳକୁ ଉର୍ବର କରିବାର ନିଷ୍ପତ୍ତି ନେଲେ। ଜର୍ମାନୀର ଇଞ୍ଜିନିୟର ଓଟୋମେୟର ଯେକି ଷ୍ଟିମ ଟ୍ରାକ୍ଟର ନିର୍ମାଣ ପାଇଁ ପରିଚିତ, ଏହାକୁ ଚ୍ୟାଲେଞ୍ଜଭାବେ ଗ୍ରହଣ କଲେ। ସେ ଓ ତାଙ୍କ ଟିମ୍‌ ଦିନ ରାତି ପରିଶ୍ରମ କରି ଏକ ବିଶାଳ ହଳ ତିଆରି କଲେ। ଉକ୍ତ ହଳରେ ୪ଟି ଶକ୍ତିଶାଳୀ ଷ୍ଟିମ୍‌ ଟ୍ରାକ୍ସନ ଇଞ୍ଜିନ୍‌ ଲଗାଯାଇଥିଲା। ଯାହାଦ୍ୱାରାକି ମଣିଷକୃତ ସବୁଠାରୁ ବଡ଼ ହଳକୁ ଟଣା ଯାଇପାରିବ। ୩୦ ହଜାର କି.ଗ୍ରା. ଓଜନର ଏହି ହଳର ଚକର ବ୍ୟାସ୍‌ ୪ ମିଟର ଓ ଏହାର ବିଶାଳ ବ୍ଲେଡ ଭୂମିରେ ୨ ମିଟର ଗଭିରତା ପର୍ଯ୍ୟନ୍ତ ଖୋଳି ପାରୁଥିଲା। ଏହା ଏତେ ଭାରି ଥିଲା ଯେ ତାକୁ କୌଣସି ଟ୍ରାକ୍ଟର ଟାଣିବା ସମ୍ଭବ ନ ଥିଲା। ସେଥିପାଇଁ ଏକ ଚରଖା ପରି ମେଶିନ୍‌ ଏଥିରେ ଲଗାଯାଇଥିଲା। ଯେଉଁଥିରେ ୪ଟି ଟ୍ରାକ୍ସନ ଇଞ୍ଜିନ ଲାଗିଥିଲା। ଏହି ଇଞ୍ଜିନକୁ ଜମିର ଦୁଇ ପାର୍ଶ୍ୱରେ ଲଗାଯାଉଥିଲା, ଯାହାକି ଧାତୁର ଦଉଡ଼ି ସାହାଯ୍ୟରେ ହଳକୁ ଟାଣୁଥିଲା। ୧୨ ବର୍ଷରେ ଏହି ହଳ ମାଧ୍ୟମରେ ୧୭୦୦୦ ହେକ୍ଟର ଜମି ଯୋତା ଯାଇ ଜମିକୁ ଉର୍ବର କରାଯାଇଥିଲା। ସେତେବେଳର ସେହି ପ୍ରୟାସ ପାଇଁ ଆଜି ଏହି ସ୍ଥାନ ସବୁଠାରୁ ଉର୍ବର ସ୍ଥାନ ମଧ୍ୟରେ ଏକ ପାଲଟିପାରିଛି। ୧୯୭୦ରେ ଯେବେ ଏହି ହଳର କାମ ପୂର୍ଣ୍ଣ ହେଲା ଏହି ହଳକୁ ବନ୍ଦ କରି ସଂଗ୍ରହାଳୟରେ ସଂରକ୍ଷିତ କରି ରଖିଦିଆଗଲା।

 

 

Share