ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ସୁନ୍ଦରଗଡ ଜିଲାପାଳ ମନୋଜ ମହାନନ୍ଦ ଅଧ୍ୟକ୍ଷତା କରିଥିଲେ। ଅଗ୍ନିବୀର ନିଯୁକ୍ତି ମେଳା ଡିସେମ୍ବର ୬ରୁ ୧୦ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ।

ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା। ମେଳାରେ ଜିଲାର ପାଖାପାଖି ୨ହଜାର ଯୁବକ ଅଂଶଗ୍ରହଣ କରିବାକୁ ଥିବା ବେଳେ ଟେଣ୍ଟ, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଭ୍ରାମ୍ୟାମାଣ ଶୌଚାଳୟ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହିତ ଅଗ୍ନିବୀର ନିଯୁକ୍ତି ମେଳା ସମୟରେ ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନିଙ୍କୁ ଅବଗତ କରାଯାଇଛି। ମେଳା ପଡିଆରେ ପରିବହନ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଦମକଳ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲ। ବୈଠକରେ ରାଉରକେଲା ଅତିରିକ୍ତ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ପାନପୋଷ ଉପଜିଲାପାଳ ବିଜୟ କୁମାର ନାୟକ, କର୍ନେଲ ସନ୍ଦୀପ କୁମାର, ଡିଏସ୍‌ଡିଇଓ ରମେଶ ଚନ୍ଦ୍ର କିଷାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Share