ବଡ଼ ଧରଣର ଅବକାରୀ ଚଢାଉ

ମୋରଡ଼ା,୨୪।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଶନିବାର ବିଭିନ୍ନ ଗାଁରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରି ନଷ୍ଟ କରିଛି l ମୋରଡ଼ା ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ମୋରଡ଼ା ଅବକାରୀ ବିଭାଗ, ବାରିପଦା ମୋବାଇଲ ଇନ୍ସପେକ୍ଟର, ସଦର ଇନ୍ସପେକ୍ଟର, ଏଏସ୍‌ଆଇ ରେଞ୍ଜ, ମୋରଡ଼ା ଏଏସ୍‌ଆଇ ପ୍ରମୁଖ ଭାଲୁକଚୁଆ ଗାଁରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ୨୫୫୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିଥିଲେ। ଏପରିକି ଭାଟିରୁ ୧୦୦ ଲିଟର ଦେଶୀ ମଦ ଜବତ କରିଥିଲେ।

ସେହିପରି ଅଧିକାରୀମାନେ ବେଆଇନ ଭାବେ ମଦ ଚାଲାଣ ହେଉଥିବା ଏକ ସ୍କୁଟିକୁ ଜବତ କରି ୩୫ ଲିଟର ଦେଶୀ ମଦ ଜବତ କରିଥିଲେ। ହେଲେ ଘଟଣାସ୍ଥଳରୁ ସ୍କୁଟି ଚାଳକ ଦୌଡ଼ି ଫେରାର ହୋଇଯାଇଥିଲେ l

ଏହାପରେ ଅଧିକାରୀମାନେ ଦୁର୍ଗାପୁର ଗ୍ରାମରେ ଚଢ଼ାଉ କରି ୧୪୦୦ ଲିଟର ଦେଶୀ ମଦ ଜବତ କରି ଲଷ୍ମୀଧର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ।

ସେହିପରି ଅଧିକାରୀମାନେ ଉକ୍ତ ଗ୍ରାମର ଅନ୍ୟ ଏକ ଭାଟିରେ ଚଢ଼ାଉ କରି ୪୨୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିବା ସହିତ ୩୫୦୦ ଲିଟର ଦେଶୀ ମଦ ଜବତ କରିଥିଲେ।

ଏହାପରେ ଉକ୍ତ ବ୍ଲକ ଅଧୀନ ସମାଇଡ଼ିହି ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ୩୨୦୦ ଲିଟର ପୋଚ ଜବତ କରି ନଷ୍ଟ କରିଥିବା ବେଳେ ୨ଶହ ଲିଟର ଦେଶୀ ମଦ ଜବତ କରିଥିଲେ। ଏହାପରେ ବେତନଟି ଥାନା ଅଧୀନ ଚିଲବସା ଗ୍ରାମରେ ଚଢ଼ାଉ କରାଯାଇ ୩୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି l ଅନ୍ୟପକ୍ଷେ ଏଭଳି ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଚୋରା ମଦ ବେପାରୀଙ୍କ ମଧ୍ୟରେ ଛନାକ ପଶିଛି।