Categories: ଜାତୀୟ

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଦ୍ଦିକ୍‌ଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟ ନିକଟ ବାନ୍ଦ୍ରା ଖେରଓ୍ବାଡି ସିଗନାଲରେ ଗୁଳି କରାଯାଇଥିଲା। ଏବେ ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ। ଅଭିଯୁକ୍ତମାନେ ଗତ ୨୫-୩୦ଦିନ ଧରି ସେହି ଅଞ୍ଚଳରେ ରହୁଥିଲେ। ଏହି ୩ ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ଗୁଳିମାଡ଼ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ, ବାବା ସିଦ୍ଦିକ୍‌ଙ୍କ ଉପରେ ଗୁଳିମାଡ଼ ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

ପୋଲିସ ସନ୍ଦେହ କରୁଛି ଯେ, ଅନ୍ୟ କେହି ମଧ୍ୟ ଅଭିଯୁକ୍ତଙ୍କୁ ସମସ୍ତ ତଥ୍ୟ ଦେଉଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ (ହରିୟାଣା) ଏବଂ ଧରମରାଜ କାଶ୍ୟପ (ଉତ୍ତରପ୍ରଦେଶ)। ଦୁର୍ବୃତ୍ତମାନେ ୬ ରାଉଣ୍ଡ ଗୁଳି ଚଳାଇଥିଲେ,  ସେଥିରୁ ତିନିଟି ଗୁଳି ସିଦ୍ଦିକ୍‌ଙ୍କ ଦେହରେ ବାଜିଥିଲା। ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ବୁଲେଟ୍‌ ଶରୀରର ଅନ୍ୟ ଅଙ୍ଗରେ ବାଜିଥିଲା। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକ୍‌ଙ୍କର ପ୍ରାଣହାନି ଘଟିଛି।

ଚଳିତ ବର୍ଷ ଫେବୃଆରୀରେ ବାବା ସିଦ୍ଦିକ୍‌ କଂଗ୍ରେସ ଛାଡ଼ି ଏନ୍‌ସିପି (ଅଜିତ ପାଓ୍ବାର ଦଳ)ରେ ଯୋଗ ଦେଇଥିଲେ। ସେ ଗତ ୪୮ ବର୍ଷ ଧରି କଂଗ୍ରେସରେ ଥିଲେ। ସେତେବେଳେ ସେ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ବିଷୟରେ ଲେଖିଥିଲେ, ‘ମୁଁ ଜଣେ ଯୁବ କିଶୋର ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ଏହି ଯାତ୍ରା ୪୮ବର୍ଷ ଧରି ଚାଲିଥିଲା। ଆଜି ମୁଁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଛାଡ଼ି ଏନ୍‌ସିପିରେ ଯୋଗଦେଉଛି। ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ବୋଲି ଲେଖିଥିଲେ।

Share