ହସିନାଙ୍କୁ ବଡ଼ ଝଟ୍‌କା, ଅଗଷ୍ଟ ୧୫କୁ ନେଇ ୟୁସୁନ ସରକାର ନେଲେ ଏପରି ନିଷ୍ପତ୍ତି, କାବା ହୋଇଗଲେ ହସିନା

ଢାକା,୧୪।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି। ଏପରିକି ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏବେ ବାଂଲାର ଦାୟିତ୍ୱ ନେଇଛନ୍ତି। କିନ୍ତୁ ଏବେ ଅଗଷ୍ଟ ୧୫କୁ ନେଇ ଦେଶରେ ନୂଆ ଝଡ ସୃଷ୍ଟି ହୋଇଛି। ପ୍ରତିବର୍ଷ ଏହିଦିନ ଭାରତ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ବାଂଲାଦେଶ ଏହିଦିନ ଶୋକ ଦିବସ ପାଳନ କରିଥାଏ। କିନ୍ତୁ ବାଂଲାଦେଶର ନୂଆ ସରକାର ଏବେ ଏହି ଛୁଟିଦିନକୁ ବାତିଲ କରି ଦେଇଛନ୍ତି। ତେବେ ଶେଖ ହସିନାଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଠାରୁ କମ ନୁହେଁ ।

ବାଂଲାଦେଶର ମହମ୍ମଦ ୟୁନୁସ ସରକାର ୧୫ ଅଗଷ୍ଟ ଛୁଟିଦିନକୁ ବାତିଲ କରିଛନ୍ତି। ବାଂଲାଦେଶରେ ଏହିଦିନ ଜାତୀୟ ଶୋକ ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ଶେଖ ହସିନାଙ୍କ ବାପା ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା। ୧୯୭୫ ଅଗଷ୍ଟ ୧୫ରେ, ବାଂଲାଦେଶର ରାଜଧାନୀ ଢାକାରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା।

ତେବେ ଛୁଟିଦିନ ବାତିଲ କରିବାକୁ ବାଂଲାଦେଶର ନୂଆ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆଲୋଡ଼ନ ଆରମ୍ଭ ହୋଇଛି। ଏହାକୁ ନେଇ ଶେଖ ହସିନା ଏବଂ ୟୁସୁନ ସରକାର ମୁହାଁମୁହିଁ ହୋଇଛନ୍ତି। ଶେଖ ହସିନା ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏବଂ ସାଧାରଣ ବାଂଲାଦେଶୀମାନଙ୍କୁ ଶୋକ ଦିବସ ପାଳନ କରିବାକୁ କହିଛନ୍ତି। ଶେଖ ହସିନା କହିଛନ୍ତି, ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଅଗଷ୍ଟ ୧୫ରେ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନର ସହିତ ଜାତୀୟ ଶୋକ ଦିବସ ପାଳନ କରନ୍ତୁ। ବଙ୍ଗଳାକୁ ଯାଆନ୍ତୁ, ପୁଷ୍ପମାଲ୍ୟ ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ, ଯାହାଫଳରେ ବାପାଙ୍କ ଆତ୍ମା ଶାନ୍ତି ପାଇ ପାରିବ।

ତେବେ ଅଗଷ୍ଟ ୧୫ର ଛୁଟି ବାତିଲ କରିବାକୁ ଅନୁମୋଦନ ପରାମର୍ଶଦାତା ପରିଷଦ ବୈଠକରେ ଦିଆଯାଇଥିଲା। ତେବେ ଏହି ନିଷ୍ପତ୍ତି ନେବା ନୂଆ ସରକାର ପାଇଁ ଏତେ ସହଜ ନ ଥିଲା। ଏହି ନିଷ୍ପତ୍ତି ସମ୍ପର୍କରେ ବୈଠକରେ ବହୁ ଆଲୋଚନା ହୋଇଥିଲା। ୟୁନୁସ ଆୱାମୀ ଲିଗ ଛାଡି ବିଭିନ୍ନ ରାଜନୈତିକ ଦଳ ସହ ଏକ ବୈଠକ କରିବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦଳଗୁଡିକ ମଧ୍ୟରୁ କେତେକ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ପାଳନ କରିବା ସପକ୍ଷରେ ଥିଲେ ଏବଂ କେତେକ ଏହାକୁ ବିରୋଧ କରିଥିଲେ। ଏହାର ଅର୍ଥ ହେଉଛି ଅଗଷ୍ଟ ୧୫ରେ ଏହି ନିଷ୍ପତ୍ତି ଉପରେ ବଡ଼ ଆଲୋଡ଼ନ ସୃଷ୍ଟି ହେବାକୁ ଯାଉଛି। ଯଦି ଏହି ନିଷ୍ପତ୍ତିକୁ ବହୁ ପରିମାଣରେ ବିରୋଧ କରାଯାଏ, ତେବେ ଏହାର ଅର୍ଥ ବୁଝାଯିବ କି ବାଂଲାରେ ଏବେ ବି ହସିନାଙ୍କ ସମର୍ଥନ ରହିଛି।

Share