ଗ୍ଲାସ୍ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍କା ଲାଗିଛି। ଆୟୋଜକ ସହର ଗ୍ଲାସ୍ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ ଏବଂ ଶୁଟିଂ ଭଳି ପ୍ରମୁଖ କ୍ରୀଡାକୁ ବାଦ୍ ଦେଇଛି। ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ବଜେଟ ଅନୁକୂଳ କ୍ରୀଡ଼ାର ଏକ ତାଲିକା ଗ୍ଲାସ୍ଗୋ ଚୟନ କରିଛି। ବଜେଟ ସୀମିତ ରଖିବା ଏବଂ ଲଜିଷ୍ଟିକ୍ସକୁ ଶୃଙ୍ଖଳିତ କରିବା ପାଇଁ ଟେବୁଲ ଟେନିସ, ସ୍କ୍ବାସ ଏବଂ ଟ୍ରାଇଥଲନ ଖେଳକୁ ମଧ୍ୟ ବାଦ୍ ଦିଆଯାଇଛି। ଗ୍ଲାସ୍ଗୋରେ କେବଳ ଚାରୋଟି ସ୍ଥାନ ସମଗ୍ର ଖେଳ ଆୟୋଜନ ହେବ। ଖେଳଗୁଡିକରେ ମୋଟ ଇଭେଣ୍ଟ ସଂଖ୍ୟା ୨୦୨୨ ବର୍ମିଂହାମ ସଂସ୍କରଣ ଅପେକ୍ଷା ୯ଟି କମ ହେବ।
ସୂଚନାଯୋଗ୍ୟ,୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଓହରି ଯାଇଥିବା ବେଳେ ବର୍ତ୍ତମାନ ଏହା ସ୍କଟଲାଣ୍ଡର ଗ୍ଲାସ୍ଗୋରେ ଅନୁଷ୍ଠିତ ହେବାକୁ ଯାଉଛି।


