ହିଲ୍‌ ଭ୍ୟୁ’ରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ବଡ଼ ପଦକ୍ଷେପ, ଛୁଟି ଦିନରେ ବି କାର୍ଯ୍ୟ ତଦାରଖ କଲେ ବିଡିଓ

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଏବେ ସଜେଇ ହେବାରେ ଲାଗିଛି। ଆସନ୍ତା ପୂଜା ଋତୁରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ସୁଅ ଛୁଟିବ। ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ତଥା ଡୁଲୁରୀ ପାଇନବଣଠାରୁ ଆରମ୍ଭ କରି ହିଲ୍‌ଭିୟୁ ପାର୍କ, ଋଷିମାଳ ପାହାଡ଼ ଆଦି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ହିଲଭିୟୁ ପାର୍କ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିବା ବେଳେ ସେହି ପାର୍କ ପରିସର ମଧ୍ୟରେ ଓ୍ବାଚ୍‌ ଟାଓ୍ବାର ରହିଛି ଏବଂ ଏବେ ଆଉ ଏକ ଉଚ୍ଚତମ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଶିଶୁ ଉଦ୍ୟାନ ରହିଥିବା ବେଳେ ଦୀର୍ଘ ସମୟ ଧରି ଟୟ ଟ୍ରେନ୍‌ ଅଚଳ ହୋଇଯାଇଥିବାରୁ ଶିଶୁ ପର୍ଯ୍ୟଟକ ମୁହଁ ଫେରାଉଥିଲେ। ସେମାନଙ୍କୁ ଆକୃଷ୍ଟ ପାଇଁ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଏବଂ ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନଙ୍କ ପଦକ୍ଷେପରେ ଏବେ ନୂତନ ଟୟ ଟ୍ରେନ୍‌ ସ୍ଥାପନ କରାଯାଉଛି। ଯାହାକି ୧୦ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇଛି। ଯାହାଦ୍ୱାରା ଶିଶୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ ପାଇଛି।

ସେହିପରି ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ୫ଟି ବିଶ୍ରାମଗୃହ, ପିଣ୍ଡି,, ସିମେଣ୍ଟ ବେଞ୍ଚ, ମିଶନଶକ୍ତି ଷ୍ଟଲ୍‌, ରାତ୍ରିଜଗୁଆଳି ଗୃହ, ଗୋଷ୍ଠୀ ଶୌଚାଳୟ, ସେଲ୍‌ଫି ଜୋନ୍‌, ଟିକେଟ କାଉଣ୍ଟର, କିଡ୍‌ସ ଜୋନ୍‌, ପାନୀୟଜଳର ବ୍ୟବସ୍ଥା, ମୁଖ୍ୟ ଫାଟକ, ତାରବାଡ଼ ଆଦି କାର୍ଯ୍ୟ ଚାଲିଛି।

ଏହାର ତଦାରଖ କରିଛନ୍ତି ବିଡିଓ ଗଦାଧର ପାତ୍ର। ନିଜେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଏହି ପ୍ରକଳ୍ପଗୁଡିକୁ ଛୁଟି ଦିନରେ ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ଋଷିମାଳର ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ସେ କହିଛନ୍ତି, ଏହି ସବୁ କାର୍ଯ୍ୟ ପର୍ଯ୍ୟଟକଙ୍କ ଆଗମନ ପୂର୍ବରୁ ଶେଷ କରାଯିବା ପାଇଁ ପ୍ରୟାସ କରାଯାଉଛି। ଯାହାକି ଆସନ୍ତା ଦିନରେ ପର୍ଯ୍ୟଟକଙ୍କୁ ସମସ୍ତ ପର୍ଯ୍ୟଟନକ୍ଷେତ୍ର ବୁଲିବାକୁ ଆଗ୍ରହ ଲାଗିବା ସହ ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ବିଡିଓ କହିଛନ୍ତି।