ଅବାଧ ନିର୍ବାଚନ ପାଇଁ ଜିଲା ପ୍ରଶାସନର ବଡ଼ ପଦକ୍ଷେପ

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଅଞ୍ଚଳରେ ଏହି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ କରାଯିବା ସହ ଲୋକଙ୍କୁ ଭୟଭୀତ ନ ହେବା ଓ ପ୍ରଭାବିତ ନ ହେବା ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି। କନ୍ଧମାଳ ଜିଲାର ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୪ଟି ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ଟିକାବାଲି, ଜି. ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ପାଇଁ ଚାରୋଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ଏହି ସ୍କ୍ବାଡ୍‌ରେ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏଏସ୍‌ଆଇ ଶ୍ରୀନିବାସ ରାଓଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଏହି ଯାଞ୍ଚ କରିଥିଲେ। ଗାଡ଼ିଚାଳକଙ୍କ ହେଲ୍‌ମେଟ ଚେକିଂ ସହ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଇଥିଲା। ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି, ଶ୍ରାନିକେତା,କିରିକୁଟି, ଡବେରୀ, ଆଦି ସ୍ଥାନରେ ଯାଞ୍ଚ କରାଯାଇଛି। ସେହିପରି ଦାରିଙ୍ଗବାଡ଼ି ଥାନାର ଡବେରୀ ଏବଂ ବ୍ରାହ୍ମଣୀଗାଁ ବଜାର ମଧ୍ୟରେ ପୋଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଥିବା ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି।