ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ ସକାଳ ୭ଟା ୧୮ରେ ମଙ୍ଗଳରେ ପାଦ ଦେଇଛି। ଏହାଦ୍ୱାରା ମଙ୍ଗଳରେ ପହଞ୍ଚିବାରେ ଦ୍ୱିତୀୟ ଦେଶ ଭାବେ ଚାଇନା ଇତିହାସ ରଚିଛି। ଏହା ପୂର୍ବରୁ ପ୍ରଥମେ ଆମେରିକା ଏଭଳି କରିଥିଲା। ସାତମାସର ମହାକାଶ ଯାତ୍ରା ପରେ ଝୁରୋଙ୍ଗ ମଙ୍ଗଳ କକ୍ଷ ପଥରେ ୩ ମାସ ଘୂରିବୁଲିଥିଲା। ଏହାପରେ ମଙ୍ଗଳ ପୃଷ୍ଠରେ ପାଦ ଦେବା ଲାଗି ଝୁରୋଙ୍ଗ ରୋଭରକୁ ୯ ମିନିଟ ସମୟ ଲାଗିଥିଲା। ୧୭ ମିନିଟ୍‌ ପରେ ଏହାର ସୋଲାର ପ୍ୟାନେଲ ଖୋଲି ଯାଇଥିଲା। ଚାଇନାର ଜାତୀୟ ମହାକାଶ ପ୍ରଶାସନର ଏହି ସଫଳତା ପାଇଁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଶୁଭେଚ୍ଛା ଜଣାଇଛନ୍ତି। ଝୁରୋଙ୍ଗ ରୋଭରର ଓଜନ ପ୍ରାୟ ୨୪୦ କିଲୋଗ୍ରାମ୍‌। ଏଥିରେ ୬ଟି ଚକା ଏବଂ ୪ଟି ସୋଲାର ପ୍ୟାନେଲ ରହିଛି। ଏହା ଘଣ୍ଟା ପ୍ରତି ୨୦୦ ମିଟର ଅଞ୍ଚଳ ଘୂରିବୁଲି ମଙ୍ଗଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପୃଥିବୀକୁ ପ୍ରେରଣ କରିବ। ଏସବୁ ସୂଚନା ପୃଥିବୀରେ ପହଞ୍ଚିବା ଲାଗି ୧୮ ମିନିଟ୍‌ ସମୟ ଲାଗିବ। ଝୁରୋଙ୍ଗ ୬୮୭ ଦିନ ମଙ୍ଗଳରେ ଘୂରିବୁଲିବ। ସୂଚନାଯୋଗ୍ୟ, ରୋଭରର ନାମ ଚାଇନାର ପୌରାଣିକ ଦେବତାଙ୍କ ନାମରେ ନାମିତ କରାଯାଇଛି। ଝୁରୋଙ୍ଗ ହେଉଛନ୍ତି ଅଗ୍ନି ଏବଂ ଯୁଦ୍ଧର ଦେବତା।

Share